ନୂଆଦିଲ୍ଲୀ: ସିନା ବୋରା ହତ୍ୟାକାଣ୍ଡ ମାମଲାରେ ପୁଣି ଏକ ଚକିତ କରିବା ଭଳି ଖବର ସାମ୍ନାକୁ ଆସିଛି। ନିଜ ଝିଅ ସନା ବୋରା ହତ୍ୟା ମାମଲାରେ ଜେଲରେ ଥିବା ପୂର୍ବତନ ମିଡିଆ ଏକ୍ସଜିକ୍ୟୁଟିଭ ଇନ୍ଦ୍ରାଣୀ ମୁଖାର୍ଜୀ ସିବିଆଇକୁ ଚିଠି ଲେଖିଛନ୍ତି। ଏଥିରେ ସିନା ବୋରା ଏବେ ବି ଜୀବିତ ଅଛନ୍ତି ଓ କାଶ୍ମୀରରେ ଥିବା କଥା ଇନ୍ଦ୍ରାଣୀ ଉଲ୍ଲେଖ କରିଛନ୍ତି। ତେଣୁ ସିନାଙ୍କୁ କଶ୍ମୀରରେ ଖୋଜିବାକୁ ଇନ୍ଦ୍ରଣୀ ଯାଞ୍ଚ ଏଜେନ୍ସିକୁ କହିଛନ୍ତି।
ଅନ୍ୟପଟେ ଜେଲର ଜଣେ ସହ କଏଦୀ ସିନାଙ୍କୁ କଶ୍ମୀରରେ ଦେଖିଥିବା ଇନ୍ଦ୍ରାଣୀଙ୍କୁ କହିଛନ୍ତି। ସେଥିପାଇଁ ଇନ୍ଦ୍ରାଣୀ ଉକ୍ତ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି।
ସୂଚନାଯୋଗ୍ୟ, ସିନା ବୋରା ହେଉଛନ୍ତି ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ପ୍ରଥମ ବିବାହର ସନ୍ତାନ।୨୦୧୨ରେ ୨୫ ବର୍ଷୀୟ ସିନାଙ୍କ ହତ୍ୟା ହୋଇଥିଲା। ଆଉ ୨୦୧୫ରେ ଉକ୍ତ ମାମଲାରେ ଇନ୍ଦ୍ରାଣୀଙ୍କୁ ଗିରଫ କରାଯାଇଥିଲା। ଏହାପରଠୁ ଇନ୍ଦ୍ରାଣୀ ମୁମ୍ବାଇର ଭାୟଖଲା ଜେଲରେ ଅଛନ୍ତି। ସିବିଆଇ ଉକ୍ତ ମାମଲାରେ ୩ ଚାର୍ଜସିଟ ଓ ୨ ସପ୍ଲିମେଣ୍ଟାରୀ ଚାର୍ଜସିଟ ଫାଇଲ କରିଛି। ଏଥିରେ ଇନ୍ଦ୍ରାଣୀ ମୁଖାର୍ଜୀ, ତାଙ୍କ ଡ୍ରାଇଭର ଶ୍ୟାମବର ରାୟ, ପୂର୍ବ ସ୍ୱାମୀ ସଞ୍ଜୀବ ଖନ୍ନା ଓ ପୀଟର ମୁଖାର୍ଜୀଙ୍କୁ ଦୋଷୀ କୁହାଯାଇଛି।
ସେହିପରି ଗତ ମାସ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଜାମିନ ଆବେଦନ ହାଇକୋର୍ଟ ଖାରିଜ କରିଦେଇଛନ୍ତି। ଖୁବଶୀଘ୍ର ଇନ୍ଦ୍ରାଣୀ ସୁପ୍ରିମକୋର୍ଟ ମୁହାଁ ହେବେ ବୋଲି ଅନୁମାନ କରାଯାଉଛି।