ହସ୍ପିଟାଲ ଛାତରୁ ଡେଇଁ ରୋଗୀଙ୍କ ଆତ୍ମହତ୍ୟା

ଅନୁଗୁଳ,ଏନ୍ଏନ୍ଏସ୍: ହସ୍ପିଟାଲ ଛାତରୁ ଡେଇଁ ରୋଗୀଙ୍କ ଆତ୍ମହତ୍ୟା। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଏହି ଅଭାବନୀୟ ଘଟଣା। ମୃତ ଯୁବକ ଗୋତମରା ଗାଁ ଚିକୁନ ବିଶ୍ୱାଳ। ସେ ଗତକାଲି(ବୁଧବାର) ସାନିଟାଇଜର ପିଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ହୋଇଯାଇଥିଲା। ହେଲେ ଆଜି(ଗୁରୁବାର) ଭୋର୍ ସମୟରେ ଚିକୁନ ହସ୍ପିଟାଲର ପାଞ୍ଚ ମହଲା ଛାତରୁ ତଳକୁ ଡେଇଁ ଆତ୍ମହତ୍ୟା କରିଛନ୍ତି।

ଯୁବକ ଜଣକ ଡେଇଁବା ପରେ ସୁରକ୍ଷାକର୍ମୀ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ନେଇଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏହି ଅଭାବନୀୟ ଘଟଣା ପରେ ଏବେ ହସ୍ପିଟାଲରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ମେଡିକାଲରେ ମାଳ ମାଳ ସୁରକ୍ଷାକର୍ମୀ ଥିବା ସତ୍ତ୍ବେ ଜଣେ ରୋଗୀ କିଭଳି ଛାତରୁ ଡେଇଁଲେ ତାକୁ ନେଇ ପ୍ରଶ୍ନ ଉଠିଛି। ତେବେ ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି।