ସାରା ଦେଶରେ ମାଡିଲାଣି ଓମିକ୍ରନ, ଆନ୍ଧ୍ର ପ୍ରଦେଶରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,ଏଜେନ୍ସି: ସାରା ଦେଶରେ କାୟା ବିସ୍ତାର କରିବାରେ ଲାଗିଲାଣି ଓମିକ୍ରନ। ଆନ୍ଧ୍ରପ୍ରଦେଶରେ କରୋନା ଭାଇରସର ନୂଆ ଭ୍ୟାରିଆଣ୍ଟ ଓମିକ୍ରନର ପ୍ରଥମ ମାମଲା ଚିହ୍ନଟ ହୋଇଛି। ଆୟରଲାଣ୍ଡରୁ ଆସିଥିବା ୩୪ ବର୍ଷୀୟ ବ୍ୟକ୍ତିଙ୍କ ଠାରେ ଓମିକ୍ରନ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି। ସେ ଆୟରଲାଣ୍ଡରୁ ସିଧା ବିଶାଖାପାଟଣା ଆସିନଥିଲେ।

 ପ୍ରଥମେ ମୁମ୍ବାଇ ବିମାନବନ୍ଦରରେ ଓହ୍ଲାଇଥିଲେ। ସେଠାରେ ତାଙ୍କର ନମୁନା ପରୀକ୍ଷା କରାଯାଇଥିଲା ଏବଂ ରିପୋର୍ଟ ନେଗେଟିଭ୍ ଆସିଥିଲା। ରିପୋର୍ଟ ନେଗେଟିଭ ଆସିବା ପରେ ତାଙ୍କୁ ବିଶାଖାପାଟଣା ଯିବା ପାଇଁ ଅନୁମତି ମିଳିଥିଲା। ମାତ୍ର ପରେ ଆନ୍ଧ୍ରପ୍ରଦେଶରେ ପୁନର୍ବାର ଆରଟିପିସିଆର ଟେଷ୍ଟ କରିବାରୁ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା।

ପରେ ତାଙ୍କର ନମୁନାକୁ ହାଇଦ୍ରାବାଦର କାଉନସିଲ ଅଫ୍ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ ସେଣ୍ଟର ଫର୍ ସେଲୁଲାର ଆଣ୍ଡ ମଲିକ୍ୟୁଲାର ବାୟୋଲୋଜିକି ପଠାଯାଇଥିଲା। ସେଠାରୁ ଓମିକ୍ରନ ଭ୍ୟାରିଆଣ୍ଟ ଥିବା ଜଣାପଡିଛି। ତେବେ ଆନ୍ଧ୍ରପ୍ରଦେଶର ପ୍ରଥମ ସଂକ୍ରମିତକୁ ମିଶାଇ ଦେଶରେ ଓମିକ୍ରନ ଭ୍ୟାରିଆଣ୍ଟ ସଂଖ୍ୟା ୩୪ରେ ପହଞ୍ଚିଛି।