ମାରାଡୋନାଙ୍କ ଘଣ୍ଟା ଆସାମରୁ ଜବତ, ଜଣେ ଗିରଫ

ଗୁଆହାଟୀ,ଏଜେନ୍ସି: ମହାନ୍ ଫୁଟ୍‌ବଲର୍ ଡିଏଗୋ ମାରାଡୋନାଙ୍କର ଦୁବାଇରୁ ଚୋରି ଯାଇଥିବା ଏକ ଘଣ୍ଟା ଆସାମର ଶିବସାଗର ଜିଲ୍ଲାରୁ ଶନିବାର ସକାଳେ ଜବତ ହୋଇଛି। ଏହି ଘଟଣାରେ ଜଣକୁ ଗିରଫ କରାଯାଇଥିବା ପୁଲିସ୍ ପକ୍ଷରୁ କୁହାଯାଇଛି। ଦୁବାଇରେ ସ୍ୱର୍ଗତ ମାରାଡୋନାଙ୍କ ସାମଗ୍ରୀ ମହଜୁଦ ରହିଥିବା ଏକ କମ୍ପାନୀ ସମ୍ପୃକ୍ତ ଅଭିଯୁକ୍ତ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିଲା ବୋଲି ପୁଲିସ୍ କହିଛି। କମ୍ପାନୀରୁ ଯେଉଁ ସେଫ୍‌ରେ ମାରାଡୋନାଙ୍କ ଲିମିଟେଡ୍ ଏଡିସନ୍ ହୁବ୍ଲୋଟ୍ ଘଣ୍ଟା ରଖାଯାଇଥିବା, ସମ୍ପୃକ୍ତ ସେଫ୍ ଚୋରି ଘଟଣାରେ ଅଭିଯୁକ୍ତ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି ବୋଲି ଆସାମ ପୁଲିସ ମହାନିର୍ଦ୍ଦେଶକ ଭାସ୍କର ଜ୍ୟୋତି ମହାନ୍ତ କହିଛନ୍ତି। ଦୁବାଇରେ କିଛିଦିନ କାମ କରିବା ପରେ ବାପା ଅସୁସ୍ଥ ଥିବା କହି ଅଭିଯୁକ୍ତ କମ୍ପାନୀରୁ ଛୁଟି ନେଇ ଗତ ଅଗଷ୍ଟ ମାସରେ ଆସାମ ଫେରି ଆସିଥିଲା।

ଅଭିଯୁକ୍ତ ସମ୍ପର୍କରେ ସୂଚନା ସହ ଦୁବାଇ ପୁଲିସ୍ ଭାରତରେ ପହଞ୍ଚିବା ପରେ ଆସାମ ପୁଲିସ ସତର୍କ ହୋଇ ଉଠିଥିଲା ବୋଲି ଡିଜି ମହାନ୍ତ କହିଛନ୍ତି। ଫଳରେ ଅଭିଯୁକ୍ତକୁ ଶନିବାର ଭୋରତ ୪ଟା ସମୟରେ ତା’ ଘରୁ ଗିରଫ କରିବା ସହ ଘଣ୍ଟାଟି ଜବତ କରିଥିଲା। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା କହିଛନ୍ତି, ଦୁଇ ଦେଶର ପୁଲିସ୍ ମଧ୍ୟରେ ଅନ୍ତର୍ଜାତୀୟ ସହଯୋଗରେ ଏହି ଅପରେସନ୍ କରାଯାଇଥିଲା। ଅଭିଯୁକ୍ତ ବିରୋଧରେ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ସେ ଜଣାଇଛନ୍ତି।