ଆଜି କଳାହାଣ୍ଡି ଜିଲ୍ଲାର ମଦନ ରାମପୁର ୧୨ ଘଣ୍ଟିଆ ବନ୍ଦ

ଭବାନୀପାଟଣା,ଏନ୍ଏନ୍ଏସ୍: ରାଜସ୍ୱ ଉପଖଣ୍ଡ(ସବଡିଭିଜନ୍) ଦାବିରେ କଳାହାଣ୍ଡି ଜିଲ୍ଲାର ମଦନ ରାମପୁରରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଥିବା ଜଣାଯାଇଛି। ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୁହାଯାଇଛି ଯେ ୧୯୯୩ ମସିହାରେ ତତକାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ମଦନ ରାମପୁରକୁ ରାଜସ୍ୱ ଉପଖଣ୍ଡ (ସବଡିଭିଜନ୍)ର ମାନ୍ୟତା ଦିଆଯିବ ବୋଲି ଘୋଷଣା କରିଥିଲେ। ହେଲେ ଏହି ଘୋଷଣାକୁ ଇତିମଧ୍ୟରେ ପ୍ରାୟ ୨୮ ବର୍ଷ ବିତିଯାଇଥିଲେ ବି ଉକ୍ତ ପ୍ରତିଶ୍ରୁତି ରକ୍ଷା କରାଯାଇ ନାହିଁ। ଏହି କାରଣରୁ ମଦନ ରାମପୁରରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି।

ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଛି କ୍ରିୟାନୁଷ୍ଠାନ କମିଟି। ମଦନରାମପୁର ସହିତ ନର୍ଲା ଓ କର୍ଲାମୁଣ୍ଡା ବ୍ଲକରେ ମଧ୍ୟ ବନ୍ଦ ପାଳନ କରାଯାଉଛି। ଆଜି ମଦନ ରାମପୁରରେ ଦୋକାନବଜାର ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଏହାଛଡ଼ା ବସ୍ ଚଳାଚଳ ବି ବାଧାପ୍ରାପ୍ତ ହୋଇଥିବାର ଖବର ମିଳିଛି। ଏବେ କଳାହାଣ୍ଡି ଜିଲ୍ଲାରେ ମାତ୍ର ଦୁଇଟି ସବଡିଭିଜନ୍ (ଭବାନୀପାଟଣା ଓ ଧର୍ମଗଡ଼) ରହିଛି।