ସିନ୍ଧୁଙ୍କୁ ବିଶ୍ବ ଟୁର୍‌ ଫାଇନାଲ୍ସ ରୌପ୍ୟ

ବାଲି,ଏଜେନ୍ସି: ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ତାରକା ପିଭି ସିନ୍ଧୁ ଏଠାରେ ଆୟୋଜିତ ବିଡବ୍ଲୁଏଫ୍‌ ବିଶ୍ବ ଟୁର୍‌ ଫାଇନାଲ୍ସରେ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଛନ୍ତି। ରବିବାର ମହିଳା ଏକକ ଫାଇନାଲ୍‌ରେ ଦୁଇ ଥର ଅଲିମ୍ପିକ୍‌ ପଦକ ଓ ବିଶ୍ବ ବିଜୟିନୀ ସିନ୍ଧୁ କୋରିଆ ଯୁବତୀ ଆନ୍‌ ସିୟଙ୍ଗଠୁ ହାରି ଯାଇଥିଲେ।

୪୦ ମିନିଟ୍‌ର ସଂଘର୍ଷ ପରେ ତୃତୀୟ ମାନ୍ୟତାପ୍ରାପ୍ତ ସିନ୍ଧୁ ୧୬-୨୧, ୧୨-୨୧ ସିଧାସଳଖ ଗେମ୍‌ରେ ଷଷ୍ଠ ମାନ୍ୟତାପ୍ରାପ୍ତ କୋରିଆ ପ୍ରତିଦ୍ବନ୍ଦ୍ବୀଙ୍କଠୁ ପରାଜୟ ବରଣ କରିଥିଲେ। ସିୟଙ୍ଗଙ୍କ ବିପକ୍ଷରେ ‌ସିନ୍ଧୁଙ୍କ ଏହା ତୃତୀୟ ପରାଜୟ। ଅନ୍ୟପକ୍ଷରେ ବାଲିରେ ସିୟଙ୍ଗଙ୍କ ଏହା ଲଗାତାର ତୃତୀୟ ଟ୍ରଫି। ଗତ ଦୁଇ ସପ୍ତାହରେ ସେ ଇଣ୍ଡୋନେସିଆ ମାଷ୍ଟର୍ସ ଓ ଇଣ୍ଡୋନେସିଆ ଓପନ୍‌ରେ ଟ୍ରଫି କରାୟତ୍ତ କରିଥିଲେ। ବିଶ୍ବର ସପ୍ତମ ମାନ୍ୟତାପ୍ରାପ୍ତ ସିନ୍ଧୁ ଏକ ମାତ୍ର ଭାରତୀୟ ଭାବେ ୨୦୧୮ରେ ବିଶ୍ବ ଟୁର୍‌ ଫାଇନାଲ୍ସ ଟ୍ରଫି ଜିତିବାର ଗୌରବ ଅର୍ଜନ କରିଥିଲେ।