ଓମିକ୍ରନ୍ ଆକ୍ରାନ୍ତଙ୍କୁ ନେଇ ଚିନ୍ତାରେ କର୍ଣ୍ଣାଟକ ସରକାର: ଜଣେ ଆକ୍ରାନ୍ତ ଚମ୍ପଟ, ୧୦ ଜଣଙ୍କ ପତ୍ତା ମିଳୁନି

ବେଙ୍ଗାଲୁରୁ,ଏଜେନ୍ସି: ରାଜ୍ୟରେ ଓମିକ୍ରନ୍ ସଂକ୍ରମିତଙ୍କ ଉପସ୍ଥିତିକୁ ନେଇ କର୍ଣ୍ଣାଟକ ସରକାର ବିବ୍ରତ ହୋଇପଡିଛନ୍ତି। ଘରୋଇ ଲାବୋରେଟୋରୀରୁ ଆଣିଥିବା ମିଥ୍ୟା କୋଭିଡ୍ ନେଗେଟିଭ୍ ସାର୍ଟିଫିକେଟ ଦାଖଲ କରି ୨ ଜଣ ବ୍ୟକ୍ତି ଇତିମଧ୍ୟରେ କର୍ଣ୍ଣାଟକ ଛାଡି ପଳାଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଓମିକ୍ରନ୍ ଆକ୍ରାନ୍ତ ବୋଲି ଜଣାପଡିଛି। ଏହାବ୍ୟତୀତ ବେଙ୍ଗାଲୁରୁ ବିମାନବନ୍ଦରରୁ ନିଖୋଜ ଥିବା ଅନ୍ୟ ୧୦ ଜଣଙ୍କୁ ଖୋଜା ଚାଲିଛି ବୋଲି ରାଜ୍ୟ ସରକାର ଶୁକ୍ରବାର ସୂଚନା ଦେଇଛନ୍ତି।

ଶୁକ୍ରବାର ରାତି ସୁଦ୍ଧା ଏମାନଙ୍କୁ ଯେପରି ହେଲେ ଠାବ କରାଯିବ ବୋଲି ରାଜ୍ୟ ସରକାର ପ୍ରତିଶ୍ରୁତି ଶୁଣାଇଛନ୍ତି। ନିଖୋଜ ୧୦ ଜଣଙ୍କୁ ଠାବ କରାଯିବାପରେ ସେମାନଙ୍କର କୋଭିଡ୍ ପରୀକ୍ଷା କରାଯିବ ବୋଲି କର୍ଣ୍ଣାଟକ ରାଜସ୍ୱ ମନ୍ତ୍ରୀ ଆର.ଅଶୋକ କହିଛନ୍ତି। ଓମିକ୍ରନ୍‌ରେ ଆକ୍ରାନ୍ତ ଦକ୍ଷିଣ ଆଫ୍ରିକାର ଜଣେ ୬୬ ବର୍ଷୀୟ ନାଗରିକ ପଳାତକ ତାଲିକାରେ ରହିଛନ୍ତି। ଏହି ବ୍ୟକ୍ତିଜଣକ ନଭେମ୍ବର ୨୦ରେ ଦକ୍ଷିଣ ଆଫ୍ରିକାରୁ ଏଠାରେ ପହଞ୍ଚିଥିଲେ। ୭ ଦିନ କର୍ଣ୍ଣାଟକରେ ରହିବାପରେ ସେ ଦୁବାଇ ଯାତ୍ରା କରିଥିଲେ। ନେଗେଟିଭ୍ ରିପୋର୍ଟ ଧରି ହୋଟେଲରେ ପ୍ରବେଶ କରିଥିବା ଏହି ବ୍ୟକ୍ତି କିଛିଦିନ ପରେ ପଜିଟିଭ୍ ପ୍ରମାଣିତ ହୋଇଥିଲେ। ତାଙ୍କୁ ଧରିବାକୁ ପୁଲିସର ସହାୟତା ଲୋଡାଯାଇଛି। ହୋଟେଲରେ ଅବସ୍ଥାନ କରୁଥିବାବେଳେ ଜଣେ ଡାକ୍ତର ତାଙ୍କୁ ପରୀକ୍ଷା କରିଥିଲେ। କୋଭିଡ୍ ଲକ୍ଷଣ ଥିବାରୁ ସଙ୍ଗରୋଧରେ ରହିବାକୁ ତାଙ୍କୁ ପରାମର୍ଶ ଦିଆଯାଇଥିଲା।

ଦକ୍ଷିଣ ଆଫ୍ରିକାରୁ ଆସିଥିବାରୁ ନଭେମ୍ବର ୨୨ରେ ତାଙ୍କର ନମୁନା ପୁଣି ପରୀକ୍ଷାଗାରକୁ ପଠାଯାଇଥିଲା। ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ୨୪ ଜଣ ବ୍ୟକ୍ତିଙ୍କର ନମୁନା ପରୀକ୍ଷା କରାଯାଇଥିବାବେଳେ ରିପୋର୍ଟ ନେଗେଟିଭ୍ ଆସିଥିଲା। ଏପରିକି ପରବର୍ତ୍ତୀ ସମୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ୨୪୦ ଜଣଙ୍କର ନମୁନା ମଧ୍ୟ ନେଗେଟିଭ୍ ରହିଥିଲା। ନଭେମ୍ବର ୨୭ରେ ଦୁବାଇ ଯିବା ପୂର୍ବରୁ ଉକ୍ତ ବ୍ୟକ୍ତିଙ୍କ ନମୁନାରେ ଓମିକ୍ରନ୍ ଭାରିଆଣ୍ଟ୍ ଥିବା ଜଣାପଡିଥିଲା। ତେବେ ବିମାନବନ୍ଦରରେ ବିନା ଯାଞ୍ଚ୍‌ରେ ସେ କିପରି ବିଦେଶ ଯାତ୍ରା କଲେ, ସେ ସମ୍ପର୍କରେ ଖୋଳତାଡ କରାଯାଉଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କେ.ସୁଧାକର କହିଛନ୍ତି।