ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ଥିତି ସାଂଘାତିକ, ଟାସ୍କଫୋର୍ସ ଓ ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ଗଠିତ

ନୂଆଦିଲ୍ଲୀ,ଏଜେନ୍ସି: ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଏନ୍‌ସିଆର (ନ୍ୟାସନାଲ କ୍ୟାପିଟାଲ ରିଜିଅନ୍‌)ରେ ବାୟୁ ପ୍ରଦୂଷଣ ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ଏହାକୁ ନେଇ ସୁପ୍ରିମକୋର୍ଟ ଗୁରୁବାର ରାଜ୍ୟ ସରକାରଙ୍କ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ତେବେ ଶୁକ୍ରବାର କମିଶନ ଫର୍ ଏୟାର କ୍ୱାଲିଟୀ ମ୍ୟାନେଜମେଣ୍ଟ (ସିଏକ୍ୟୁଏମ୍‌) ପକ୍ଷରୁ ଏହି ଘଟଣା ତଦାରଖ କରିବାକୁୁ ୫ ଜଣିଆ ଟାସ୍କ୍‌ଫୋର୍ସ ଗଠନ କରାଯାଇଛି। ଏହାବ୍ୟତୀତ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ୧୭ଟି ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ମଧ୍ୟ ଗଠନ କରାଯାଇଛି।

ଆଗାମୀ ୨୪ ଘଣ୍ଟା ମଧ୍ୟରେ ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ସଂଖ୍ୟା ୧୭ରୁ ୪୦କୁ ବୃଦ୍ଧି କରାଯିବ ବୋଲି ସିଏକ୍ୟୁଏମ୍ ପକ୍ଷରୁ କୁହାଯାଇଛି। ସ୍ଥିତି ସୁଧାରିବାକୁ ସିଏମକ୍ୟୁଏମ୍ ପକ୍ଷରୁ ଆଉ କେତେକ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଛି। ଅଣ-ପିଏନ୍‌ଜି ଓ ଅନ୍ୟ ଅଶୋଧିତ ଇନ୍ଧନରେ ପରିଚାଳିତ କଳକାରଖାନାଗୁଡିକ ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଦିନକୁ ମାତ୍ର ୮ ଘଣ୍ଟା କାର୍ଯ୍ୟ କରିବ। ସପ୍ତାହାନ୍ତ ଦୁଇ ଦିନ ଅର୍ଥାତ ଶନିବାର ଓ ରବିବାର ଏହି କାରଖାନାଗୁଡିକ ସମ୍ପୂର୍ଣ୍ଣ ବନ୍ଦ ରହିବ।

ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଟ୍ରକ୍ ବ୍ୟତୀତ ଅନ୍ୟ କୌଣସି ଟ୍ରକ୍‌କୁ ଦିଲ୍ଲୀରେ ପ୍ରବେଶ ଅନୁମତି ମିଳିବ ନାହିଁ। ଦିଲ୍ଲୀ ଓ ଏନ୍‌ସିଆର୍ ବାୟୁମଣ୍ଡଳ ସ୍ଥିତି ସୁଧାରିବାକୁ ୨୪ ଘଣ୍ଟା ମଧ୍ୟରେ ପଦକ୍ଷେପ ନେବାକୁ ସୁପ୍ରିମକୋର୍ଟ ଗୁରୁବାର ଦିଲ୍ଲୀ ସରକାର ସମେତ ସିଏକ୍ୟୁଏମ୍‌କୁ ନିର୍ଦ୍ଦେଶ ଦେଇଥିଲେ। ଯଦି ଏଥିରେ ଖିଲାପ ଘଟେ, ତାହାହେଲେ ସର୍ବୋଚ୍ଚ ନ୍ୟାୟାଳୟ ନିଜ ତରଫରୁ ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ଗଠନ କରିବେ ବୋଲି କହିଥିଲେ। ସୂଚନାଯୋଗ୍ୟ ଗୁରୁବାର ଦିଲ୍ଲୀରେ ଏକ୍ୟୁଆଇ (ଏୟାର କ୍ୱାଲିଟୀ ଇଣ୍ଡେକ୍ସ) ୪୨୯ ଥିବାବେଳେ ଶୁକ୍ରବାର ସକାଳେ ଏହା ୩୫୭କୁ ହ୍ରାସ ପାଇଛି।