ଆଜିଠାରୁ ଭାରତ-ନ୍ୟୁଜିଲାଣ୍ଡ୍ ଦ୍ୱିତୀୟ ଟେଷ୍ଟ୍‌: ଫେରିବେ କୋହଲି, ଖେଳିପାରନ୍ତି ସିରାଜ୍‌

ମୁମ୍ବାଇ,ଏଜେନ୍ସି: ଚଳିତ ଭାରତ-ନ୍ୟୁଜିଲାଣ୍ଡ୍ ଟେଷ୍ଟ୍ ସିରିଜ୍‌ର ପ୍ରଥମ ମ୍ୟାଚ୍‌ଟି ରୋମାଞ୍ଚକର ଭାବେ ଡ୍ର’ରେ ଶେଷ ହୋଇଥିବା ବେଳେ ଦ୍ୱିତୀୟ ତଥା ଅନ୍ତିମ ମ୍ୟାଚ୍ ଶୁକ୍ରବାରଠାରୁ ଏଠାରେ ଆରମ୍ଭ ହେବ। ତେବେ ମୁମ୍ବାଇରେ ଗତ ୨୪ ଘଣ୍ଟାରେ ବର୍ଷା ହେବା ଫଳରେ ମ୍ୟାଚ୍ ଦିନ ପାଗ ବେଶ୍ କୋହଲା ରହିବାର ସମ୍ଭାବନା ରହିଛି। ତେଣୁ ଏହି ମ୍ୟାଚ୍‌ରେ ପ୍ରାରମ୍ଭିକ ଫାଇଦା ପାଇବା ସକାଶେ ଉଭୟ ଦଳ ଲକ୍ଷ୍ୟ ରଖିଛନ୍ତି। ଏହି ଫାଇଦା ହାସଲ ସକାଶେ ଉଭୟ ଦଳ ନିଶ୍ଚିତ ଭାବେ ଚୂଡ଼ାନ୍ତ ଏକାଦଶରେ ପେସର୍‌ଙ୍କୁ ଅଧିକ ଗୁରୁତ୍ୱ ଦେବେ। ଏହି କ୍ରମରେ ଟିମ୍ ଇଣ୍ଡିଆର ନିୟମିତ ଅଧିନାୟକ ବିରାଟ କୋହଲି ଦଳକୁ ଫେରିଥିବା ବେଳେ ଚୂଡ଼ାନ୍ତ ଏକାଦଶରେ ଜଣେ ଅତିରିକ୍ତ ପେସର୍‌ଙ୍କୁ ଖେଳାଇବା ନେଇ ସଙ୍କେତ ଦେଇଛନ୍ତି। ପ୍ରାକ୍ ମ୍ୟାଚ୍ ସାମ୍ବାଦିକ ସମ୍ମିଳନୀରେ କୋହଲି କହିଛନ୍ତି ଯେ ମୁମ୍ବାଇରେ ପାଣିପାଗରେ ଅଚାନକ ପରିବର୍ତ୍ତନ ଆସିବା ଫଳରେ କୋହଲା ପାଗକୁ ଦୃଷ୍ଟିରେ ରଖି ତଦନୁସାରେ ଚୂଡ଼ାନ୍ତ ଏକାଦଶ ଚୟନ କରାଯିବ। ତେଣୁ ଟିମ୍ ଇଣ୍ଡିଆ ଘରୋଇ ପିଚ୍‌ରେ ମୁଖ୍ୟତଃ ୩ ଜଣ ସ୍ପିନର୍‌ଙ୍କୁ ନେଇ ଖେଳିଆସୁଥିଲେ ହେଁ ମୁମ୍ବାଇ ଟେଷ୍ଟ୍‌ରେ ଏହି ରଣନୀତିରେ ପରିବର୍ତ୍ତନ ସୁନିଶ୍ଚିତ ବୋଲି କୋହଲି ପରୋକ୍ଷରେ ସୂଚନା ଦେଇଛନ୍ତି।

କୋହଲି କହିଛନ୍ତି ଯେ ଯଦିଓ ସମଗ୍ର ମ୍ୟାଚ୍‌ରେ କୋହଲା ପାଗ ରହିବ ବୋଲି ଆମେ କହିପାରିବା ନାହିଁ । ତଥାପି ପ୍ରାରମ୍ଭିକ ଫାଇଦା ମିଳିଲେ, ଦଳ ନିଶ୍ଚିତ ଲାଭବାନ ହେବ। ତେବେ ପରିବର୍ତ୍ତିତ ପାଣିପାଗରେ କେଉଁ ବୋଲର୍ ଜଣକ ଆମକୁ ଫାଇଦା ଦେଇପାରିବେ, ତାହା ଉପରେ ଟିମ୍ ମ୍ୟାନେଜ୍‌ମେଣ୍ଟ୍ ମଧ୍ୟରେ ସହମତି ହେବାର ଆବଶ୍ୟକତା ରହିଛି। ସହମତି ପରେ ୩ ଜଣ ପେସରଙ୍କୁ ନିଆଯିବାରେ କୌଣସି ସମସ୍ୟା ନାହିଁ ବୋଲି କୋହଲି କହିଛନ୍ତି। ତେଣୁ ଯୁବ ପେସର୍ ମହମ୍ମଦ ସିରାଜ୍‌ଙ୍କୁ ମୁମ୍ବାଇ ଟେଷ୍ଟ୍‌ରେ ସୁଯୋଗ ମିଳିବା ନିଶ୍ଚିତ ପରି ମନେ ହେଉଛି।

କ୍ରମାଗତ ଭାବେ ବିଫଳ ହେଉଥିବା ମଧ୍ୟମକ୍ରମ ବ୍ୟାଟ୍ସମ୍ୟାନ୍ ତଥା ଗତ ମ୍ୟାଚ୍‌ରେ ଅଧିନାୟକ ଦାୟିତ୍ୱ ତୁଲାଇଥିବା ଆଜିଙ୍କ୍ୟ ରାହାଣେଙ୍କୁ ବାଦ୍ ଦିଆଯିବା ନେଇ ସିଧାସଳଖ ଅଧିନାୟକ କୋହଲି କିଛି କହି ନ ଥିଲେ ହେଁ ପ୍ରଦର୍ଶନରେ ସୁଧାର ପାଇଁ ତାଙ୍କ ସହ ଆଲୋଚନା ହୋଇଥିବା ପରୋକ୍ଷରେ କହିଛନ୍ତି। ଗତ ମ୍ୟାଚ୍‌ରେ ଆଘାତ ପାଇ ସାମୟିକ ଭାବେ ପଡ଼ିଆରୁ ବାହାରକୁ ଯାଇଥିବା ଋଦ୍ଧିମାନ୍ ସାହା ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଥିବା କୋହଲି ସୂଚନା ଦେଇଛନ୍ତି। ୱାଙ୍ଖେଡେ ପିଚ୍‌ରେ ପାରମ୍ପରିକ ବାଉନ୍ସ ମିଳିବ ଓ ଏଠାରେ ଶୃଙ୍ଖଳିତ ଭାବେ ବ୍ୟାଟିଂ କଲେ, ନିଶ୍ଚିତ ଭାବେ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର୍ କରିପାରିବେ ବୋଲି କୋହଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି। କାନପୁର ଟେଷ୍ଟ୍‌ରେ ଭାରତ ମାତ୍ର ୧ ୱିକେଟ୍ ପାଇଁ ବିଜୟରୁ ବଞ୍ଚିତ ହୋଇଥିଲେ ହେଁ ରାହାଣେଙ୍କ ନେତୃତ୍ୱାଧୀନ ଟିମ୍ ପରିଶ୍ରମରେ ସାମାନ୍ୟ ଅବହେଳା କରି ନ ଥିବା କୋହଲି ମତ ଦେଇଛନ୍ତି। ତେବେ କୋହଲି ଦଳକୁ ଫେରିବା ପରେ କାନପୁର ଟେଷ୍ଟ୍‌ର ଚୂଡ଼ାନ୍ତ ଏକାଦଶରେ କାହାକୁ ପରିବର୍ତ୍ତନ କରାଯିବ, ସେନେଇ କୌଣସି ସୂଚନା ମିଳିନାହିଁ। କିନ୍ତୁ କ୍ରମାଗତ ବିଫଳ ହୋଇଆସୁଥିବା ତୃତୀୟ ନମ୍ବରରେ ବ୍ୟାଟିଂ କରୁଥିବା ଚେତେଶ୍ୱର ପୂଜାରା କିମ୍ବା ରାହାଣେଙ୍କ ମଧ୍ୟରୁ ଜଣକ ସ୍ଥାନରେ କୋହଲି ସାମିଲ୍ ହେବା ନିଶ୍ଚିତ।
ଅନ୍ୟପକ୍ଷରେ ବର୍ଷା କାରଣରୁ ପିଚ୍ ଉପରେ କଭର୍ ଥିବାରୁ ଓ ମୁମ୍ବାଇର ତାପମାତ୍ରାରେ ଯଥେଷ୍ଟ ହ୍ରାସ ଘଟିଥିବାରୁ ଏହା ନିଶ୍ଚିତ ଭାବେ ପେସରଙ୍କୁ ସୁହାଇବ ବୋଲି ନ୍ୟୁଜିଲାଣ୍ଡ୍ ଟିମ୍‌ର ଭେଟେରାନ୍ ପେସର୍ ଟିମ୍ ସାଉଦି କହିଛନ୍ତି। ଅବଶ୍ୟ ଦଳ ଚୂଡ଼ାନ୍ତ ଏକାଦଶରେ ଅତିରିକ୍ତ ପେସର୍ ଭାବେ ବାମହାତୀ ବୋଲର୍ ନୀଲ୍ ୱାଗନରଙ୍କୁ ସାମିଲ୍ କରାଯିବ କି ନାହିଁ, ସେନେଇ ସାଉଦି କୌଣସି ଠୋସ୍ ସୂଚନା ଦେଇନାହାନ୍ତି। ସେହିପରି କାନପୁରର ସୁପ୍ତ ପିଚ୍‌ରେ ବି ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କୁ ବେଶ୍ ହଇରାଣ କରିଥିବା ସାଉଦି ମୁମ୍ବାଇରେ ଦଳକୁ ନୂଆ ଚାଲେଞ୍ଜ୍ ମିଳିବ ବୋଲି ମତ ଦେଇଛନ୍ତି।

ସମ୍ଭାବ୍ୟ ଭାରତୀୟ ଏକାଦଶ: ଶୁବମାନ ଗିଲ୍‌, ମୟଙ୍କ ଅଗରୱାଲ୍‌, ଚେତେଶ୍ୱର ପୂଜାରା, ବିରାଟ କୋହଲି (ଅଧିନାୟକ), ଶ୍ରେୟସ୍ ଆୟର୍‌, ରବୀନ୍ଦ୍ର ଜାଡେଜା, ଋଦ୍ଧିମାନ୍ ସାହା (ୱିକେଟ୍‌କିପର୍‌), ରବିଚନ୍ଦ୍ରନ୍ ଅଶ୍ୱିନ୍‌, ଅକ୍ଷର ପଟେଲ୍‌, ମହମ୍ମଦ ସିରାଜ୍ ଓ ଉମେଶ ଯାଦବ।

ସମ୍ଭାବ୍ୟ ନ୍ୟୁଜିଲାଣ୍ଡ୍ ଏକାଦଶ: ୱିଲ୍ ୟଙ୍ଗ୍‌, ଟମ୍ ଲାଥାମ୍‌, କେନ୍ ୱିଲିୟମସନ୍ (ଅଧିନାୟକ), ରସ୍ ଟେଲର୍‌, ହେନରୀ ନିକୋଲ୍ସ, ଟମ୍ ବ୍ଲଣ୍ଡେଲ୍ (ୱିକେଟ୍‌କିପର୍‌), ରଚିନ୍ ରବୀନ୍ଦ୍ର, କାଇଲ୍ ଜେମିସନ୍‌, ଟିମ୍ ସାଉଦି, ନୀଲ୍ ୱାଗନର୍ ଓ ଅଜାଜ୍ ପଟେଲ୍।