ଭୁବନେଶ୍ୱର,ଏନ୍ଏନ୍ଏସ୍: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ଠାରେ ଚାଲିଥିବା ଦ୍ୱାଦଶ ଏଫ୍ଆଇଏଚ୍ ଓଡ଼ିଶା ଜୁନିୟର୍ ପୁରୁଷ ବିଶ୍ୱକପ୍ର ଦୁଇଟିଯାକ ସେମିଫାଇନାଲ୍ ଶୁକ୍ରବାର ଖେଳାଯିବ। ପ୍ରଥମ ସେମିରେ ଆର୍ଜେଣ୍ଟିନା ଫ୍ରାନ୍ସକୁ ଅପରାହ୍ଣରେ ଭେଟିବାକୁ ଥିବା ବେଳେ ସନ୍ଧ୍ୟାରେ ଆୟୋଜକ ଭାରତର ମୁକାବିଲା ପ୍ରତିଯୋଗିତାର ସବୁଠାରୁ ସଫଳ ଦଳ ତଥା ଅଦ୍ୟାବଧି ସର୍ବାଧିକ ୬ ଥର ଟାଇଟଲ୍ ଜିତିସାରିଥିବା ଜର୍ମାନୀ ସହ ହେବ। ଏହି ମୁକାବିଲାରେ ଘରୋଇ ଦଳ ନିଶ୍ଚିତ ଭାବେ ଅଧିକ ଜୋଶ୍ ଓ ସ୍ୱତନ୍ତ୍ର ଉତ୍ସାହ ନେଇ ଖେଳିବ, ଏଥିରେ ସାମାନ୍ୟତମ ସନ୍ଦେହ ନାହିଁ। ବିଶେଷକରି ବିଶ୍ୱର ଏକ ନମ୍ବର ଦଳ ବେଲଜିୟମ୍କୁ କ୍ୱାର୍ଟର୍ ଫାଇନାଲ୍ରେ ମାତ୍ ଦେଇ ସେମିରେ ପ୍ରବେଶ କରିଥିବା ଭାରତୀୟ ଟିମ୍ର ମନୋବଳ ବହୁଗୁଣିତ ହୋଇଛି।
ଦଳର ଖେଳାଳିମାନଙ୍କୁ ସେମି ମୁକାବିଲାରେ ଅଧିକ ଆକ୍ରମଣାତ୍ମକ ପ୍ରଦର୍ଶନ କରିବା ସକାଶେ ମୁଖ୍ୟ କୋଚ୍ ଗ୍ରାହାମ୍ ରିଡ୍ ଆହ୍ୱାନ ଦେଇଛନ୍ତି। ଏହି ମୁକାବିଲା ସମ୍ପର୍କରେ ଦଳର ଆଭିମୁଖ୍ୟ ନେଇ ରିଡ୍ କହିଛନ୍ତି ଯେ ଖେଳାଳିମାନଙ୍କ ମନୋବଳ ବେଶ୍ ଦୃଢ଼ ଥିବାରୁ ଆମେ ନିଶ୍ଚିତ ଭାବେ ଜର୍ମାନୀକୁ ପରାସ୍ତ କରି ଫାଇନାଲ୍ ଖେଳିବୁ। ଆମ ଖେଳାଳିମାନେ ସେମାନଙ୍କ ନିଜ ଦକ୍ଷତାନୁସାରେ ପ୍ରଦର୍ଶନ କରିବେ ଓ ଏହା ନିଶ୍ଚିତ ଭାବେ ଜର୍ମାନୀକୁ ଚିତ୍ କରିବାରେ ସକ୍ଷମ ହେବ ବୋଲି ରିଡ୍ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଅବଶ୍ୟ ଜର୍ମାନୀକୁ ସେ ଆଦୌ ହାଲକା ଭାବେ ନେବାକୁ ଖେଳାଳିଙ୍କୁ ପରାମର୍ଶ ଦେବେ ନାହିଁ ବୋଲି ରିଡ୍ କହିଛନ୍ତି।
ସେ କହିଛନ୍ତି ଯେ ଜର୍ମାନୀ ମୁଖ୍ୟତଃ ଶେଷ ଭାଗରେ ଗୋଲ୍ କରିବାରେ ବେଶ୍ ସିଦ୍ଧହସ୍ତ। ସେମାନେ ଆଦୌ ଆତ୍ମସମର୍ପଣରେ ବିଶ୍ୱାସ କରନ୍ତି ନାହିଁ। ଅର୍ଥାତ୍ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଲଢ଼େଇ ମନୋଭାବ ସେମାନଙ୍କ ଅସ୍ଥିମଜ୍ଜାଗତ। ସମଗ୍ର ମ୍ୟାଚ୍ରେ ସେମାନେ ସମାନ ଶକ୍ତି ନେଇ ଖେଳିବାରେ ପାରଙ୍ଗମ ବୋଲି ଏକାଧିକ ବାର ପ୍ରମାଣିତ କରିସାରିଛନ୍ତି। ଗତ କ୍ୱାର୍ଟର୍ ଫାଇନାଲ୍ ମୁକାବିଲାରେ ଦଳର ମାସି ପିଫାଣ୍ଟ୍ କିପରି ଭାବେ ସ୍ପେନ୍ ବିପକ୍ଷରେ ଶେଷ ଭାଗରେ ଗୋଲ୍ ଦେଇ ଦଳକୁ ବିଜୟୀ କରାଇଲେ, ସେ ଉଦାହରଣ ମଧ୍ୟ ରିଡ୍ ଦେଇଛନ୍ତି। ଅବଶ୍ୟ ବେଲଜିୟମ୍ ବିପକ୍ଷ କ୍ୱାର୍ଟର୍ ଫାଇନାଲ୍ ମୁକାବିଲା ସେତେଟା ଆକର୍ଷଣୀୟ ହୋଇପାରି ନ ଥିବା ରିଡ୍ ସ୍ୱୀକାର କରିଛନ୍ତି। କିନ୍ତୁ ଏହି ମ୍ୟାଚ୍ରେ ଖେଳାଳିମାନେ ନିଜ ଦାୟିତ୍ୱ ପ୍ରତି କେତେ ସମ୍ବେଦନଶୀଳ ଓ ସେମାନଙ୍କ ପାଖରେ ପ୍ରତିପକ୍ଷ ଦଳକୁ ଚମକାଇବାର କ୍ଷମତା ରହିଛି, ଏହା ପ୍ରମାଣିତ କରିଦେଇଛନ୍ତି। ଜଣେ କୋଚ୍ ଖେଳାଳିଙ୍କଠାରୁ ଏହା ହିଁ ଆଶା କରିଥାଏ ଓ ସେମିଫାଇନାଲ୍ରେ ମଧ୍ୟ ସମାନ ପ୍ରଦର୍ଶନ ପାଇଁ ସେ ଆଶାବାଦୀ ବୋଲି ରିଡ୍ କହିଛନ୍ତି।
ଅନ୍ୟପକ୍ଷରେ ଜର୍ମାନୀ ଟିମ୍ର କୋଚ୍ ଭାଲେଣ୍ଟିନ୍ ଆଲଟେନ୍ବର୍ଗ କହିଛନ୍ତି ଯେ ଭାରତର କ୍ୱାର୍ଟର୍ ମୁକାବିଲା ଦେଖି ସେ ଶୁକ୍ରବାର କ’ଣସବୁ ଘଟିବ, ସେନେଇ ଆକଳନ କରିପାରିଛନ୍ତି। ତା’ଛଡ଼ା କଳିଙ୍ଗ ଷ୍ଟାଡିୟମ୍ରେ ଦର୍ଶକଙ୍କ ହୋହଲ୍ଲା ତାଙ୍କ ଖେଳାଳିଙ୍କର ବେଶ୍ ପସନ୍ଦ। ତେଣୁ ଶୁକ୍ରବାର ଭାରତୀୟ ଦଳକୁ ସମର୍ଥନ କରିବା ସକାଶେ ଦର୍ଶକ ଯେଉଁ ହୋହଲ୍ଲା କରିବେ, ସେଥିରୁ ଜର୍ମାନ୍ ଖେଳାଳିଙ୍କୁ ଅଧିକ ଉତ୍ସାହ ମିଳିବ ବୋଲି ଆଲଟେନ୍ବର୍ଗ କହିଛନ୍ତି। ସେହିପରି ଭାରତୀୟ ସିନିୟର୍ ଦଳର ଅଧିନାୟକ ମନପ୍ରୀତ୍ ସିଂ ଓ ପ୍ରମୁଖ ଡ୍ରାଗ୍ଫ୍ଲିକର୍ ହରମନ୍ପ୍ରୀତ୍ ସିଂ ଜୁନିୟର୍ ଖେଳାଳିଙ୍କୁ ଉତ୍ସାହିତ କରୁଥିବା ଦେଖି ସେ ବେଶ୍ ବିହ୍ୱଳିତ ହୋଇଛନ୍ତି। ତେବେ ମୋଟାମୋଟି ଭାବେ ଘରୋଇ ଦଳକୁ ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିବାକୁ ହେଲେ ଜର୍ମାନୀକୁ ସ୍ୱତନ୍ତ୍ର ପରିଶ୍ରମ କରିବାକୁ ପଡ଼ିବ ବୋଲି ଆଲଟେନ୍ବର୍ଗ ସ୍ୱୀକାର କରିଛନ୍ତି।