ଧାରା ୩୭୦ ପ୍ରସଙ୍ଗର ଶୁଣାଣି ପାଇଁ ୫ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଗଠିତ

ନୂଆଦିଲ୍ଲୀ,ଏଜେନ୍ସି: ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଏ ନେଇ ସୁପ୍ରିମକୋର୍ଟରେ ଅନେକ ମମଲା ରୁଜୁ ହୋଇଛି। ତେବେ ଏହାର ଶୁଣାଣି ପାଇଁ ଶନିବାର ଏକ ୫ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଗଠନ କରାଯାଇଛି। ଜଷ୍ଟିସ ଏନଭି ରମନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଖଣ୍ଡପୀଠ ଅକ୍ଟୋବର ୧ରୁ ଆରମ୍ଭ ହେବବୋଲି ଜଣାଯାଇଛି। ତେବେ ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାରର ଓ ପରେ ଆସିଥିବା କେତେକ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶନାମାରେ ସାମ୍ବିଧାନିକ ବୈଧତାକୁ ଏହି ଖଣ୍ଡପୀଠ ଯାଞ୍ଚ କରିବ ।

ସେହିପରି ଗତମାସ ଅଗଷ୍ଟରେ ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାରକୁ ଚ୍ୟାଲେଞ୍ଜ କରି ଆଗତ ମାମଲାଗୁଡ଼ିକୁ ସାମ୍ବିଧାନିକ ବେଞ୍ଚକୁ ପଠାଇଦେଇଥିଲେ । କେନ୍ଦ୍ର ସରକାର ଗତ ଅଗଷ୍ଟ ୫ରେ ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର କରିଥିଲେ । ଏହାକୁ ଚ୍ୟାଲେଞ୍ଜ କରି ନ୍ୟାସନାଲ କନ୍‌ଫରେନ୍ସ, ପିପୁଲ୍ସ କନ୍‌ଫରେନ୍ସଏମଏଲ ଶର୍ମାଙ୍କ ସମେତ ଅନେକ ଲୋକ ସୁପ୍ରିମ କୋର୍ଟରେ ମାମଲା ରୁଜୁ କରିଥିଲେ ।