ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲାରେ ପ୍ରତେକ ବର୍ଷ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଚଳିତ ବର୍ଷ ମଧ୍ୟ ଅଦିନିଆ ବର୍ଷା ଯୋଗୁ ଅନେକ ପଞ୍ଚାୟତରେ ଗଜା ମରୁଡ଼ି ଦେଖା ଦେଇଛି। ଫଳରେ ଏହି ଗଜା ମରୁଡ଼ିର ରିପୋର୍ଟ ସଂଗ୍ରହ କରିବା ସହିତ କ୍ଷତିପୂରଣ ଦାବିରେ କୃଷି ଅଧିକାରୀ ଚିତ୍ତରଞ୍ଜନ ଶତପଥୀ ଓ ସ୍ଥାନୀୟ ତହସିଲଦାର ସୁରେନ୍ଦ୍ର ମେହେରଙ୍କୁ ଶିଷକେଲା ଓ ବେଲଗା ପଞ୍ଚାୟତର ଚାଷୀମାନେ ବହୁବାର ଅଭିଯୋଗ କରିଛନ୍ତି। ହେଲେ ଚାଷୀଙ୍କ କଥାକୁ କେହି ନ ଶୁଣିବାରୁ ଶେଷରେ ଆଜି ବାଧ୍ୟହୋଇ ଶିଷକେଲା ପଞ୍ଚାୟତ ସରପଞ୍ଚ ଉମାକାନ୍ତ ରଣାଙ୍କ ନେତୃତ୍ୱରେ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଆଗରେ ଶତାଧିକ ଚାଷୀ ଧାରଣା ଦେବାସହ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି। ଅନ୍ୟପଟେ କୃଷି ଅଧିକାରୀଙ୍କ ଅନୁପସ୍ଥିତି ଯୋଗୁ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ଏବଂ କ୍ଷତିପୂରଣ ନଦେଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି।