ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ଓରିଏଣ୍ଟ ଥାନା ଅନ୍ତର୍ଗତ ଏମସିଏଲର କଲ୍ୟାଣ ମଣ୍ଡପ ପଛ ପଟରୁ ଜଣେ ବ୍ୟକ୍ତିର ମୃତଦେହ ଆଜି ସକାଳେ ପୁଲିସ ଉଦ୍ଧାର କରିଛି। ମୃତ ବ୍ୟକ୍ତି ଜଣକ କୈଳାଶ ଗୌଡ଼(୪୦) ବୋଲି ଜଣାପଡ଼ିଛି। ମିଳିଥିବା ରିପୋର୍ଟ ମୁତାବକ, କୈଳାଶ ଗଞ୍ଜାମର ମୂଳବାସିନ୍ଦା ହୋଇଥିବାବେଳେ ବ୍ରଜରାଜନଗର ଦୁର୍ଗାନଗର କ୍ୱାଟର ନଂ ୩୩୨ରେ ରହି ଏମସିଏଲରେ ଜଣେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିଲେ। ତେବେ ଆଜି ସକାଳୁ ଓରିଏଣ୍ଟ ଥାନା ଅନ୍ତର୍ଗତ ଏମସିଏଲ କଲ୍ୟାଣ ମଣ୍ଡପର ପଛ ପଟେ ଥିବା ଏକ ଟାୱାରରେ ତାଙ୍କର ମୃତଦେହ ଝୁଲୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ବ୍ରଜରାଜନଗର ପୁଲିସ ଓ ସାଇଣ୍ଟିଫିକ ଟିମ୍ ପହଂଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି। କୈଳାଶଙ୍କ ଗୋଡ଼ ୨ଟି ବନ୍ଧା ହୋଇଥିବାରୁ ଏହା ଏକ ସୁନିୟୋଜିତ ହତ୍ୟାକାଣ୍ଡ ମଧ୍ୟ ହୋଇଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି।