କନ୍ଧମାଳ,ଏନ୍ଏନ୍ଏସ୍: ମାତୃ ମୃତ୍ୟୁ ହାର ଓ ଶିଶୁ ମୃତ୍ୟୁ ହାର ରୋକିବା ଉଦ୍ଧେଶ୍ୟରେ ସରକାର ବିଭିନ୍ନ ସ୍ଥାନରେ ‘ମା ଗୃହ’ ସ୍ଥାପନ କରିଛନ୍ତି। ଯେଉଁଠି ପ୍ରସବର କିଛି ଦିନ ପୂର୍ବରୁ ଦୁର୍ଗମ ଓ ଗ୍ରାମାଞ୍ଚଳର ବର୍ଭବତୀମାନେ ରହିବେ। ଆଉ ସେଠି ଗର୍ଭବତୀ ମହିଳାଙ୍କ ଉତ୍ତମ ଯତ୍ନ ନିଆଯିବା ସହ ସୁରକ୍ଷିତ ପ୍ରସବ ପାଇଁ ବ୍ୟବସ୍ଥା କରାଯାଇଛି। କିନ୍ତୁ ତାର ବ୍ୟତିକ୍ରମ କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡି ‘ମା ଗୃହ’ ଠାରେ ଦେଖିବାକୁ ମିଳିଛି। ଦାରିଙ୍ଗିବାଡିସ୍ଥିତ ‘ମା ଗୃହ’ରେ ଆନୁସଙ୍ଗିକ ସୁବିଧା ସୁଯୋଗ ନାହିଁ। ଏଠାକୁ ଆସୁଥିବା ଗର୍ଭବତୀ ମହିଳାମାନେ ଶୌଚାଳୟ ପାଇଁ ପ୍ରତିଦିନ ସକାଳୁ ବାହାରକୁ ଯାଉଛନ୍ତି। ଗୋଟିଏ ପଟେ ଗର୍ଭ ଯନ୍ତ୍ରଣା ଅନ୍ୟପଟେ କଷ୍ଟ ସତ୍ତ୍ୱେ ବାହାରକୁ ଶୌଚ ହେବାକୁ ଯିବା କେତେଯେ କଷ୍ଟଦାୟକ ତାହା ଜଣେ ଗର୍ଭବତୀ ହିଁ ଜାଣିଛନ୍ତି। ଏମିତିରେ ଗର୍ଭବତୀ ମହିଳା କିଭଳି ସୁରକ୍ଷିତ ରହିବ? ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ ଉଦବେଗ ପ୍ରକାଶ ପାଇଛି।
ସରକାର ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟକୁ ନେଇ ବେଶ ଯତ୍ନବାନ ରହିଥିବାର ନାରା ଦେଉଛନ୍ତି। କିନ୍ତୁ ସେ ଅନୁଯାୟୀ ‘ମା ଗୃହ’ରେ ଗର୍ଭବତୀ ମହିଳାଙ୍କ ଯତ୍ନ ହିଁ ନିଆଯାଉନାହିଁ, କି ଦାରିଙ୍ଗିବାଡିରେ ରହିଥିବା ‘ମା ଗୃହ’ରେ ସେଭଳି କୌଣସି ବ୍ୟବସ୍ଥା ନାହିଁ! ‘ମା ଗୃହ’ରେ ଆନୁସଙ୍ଗିକ ବ୍ୟବସ୍ଥାମାନ ନଥିବା ହେତୁ ଏଠି ଗର୍ଭବତୀ ମହିଳାଙ୍କ ପାଇଁ ଆହୁରି ଅଧିକ ସମସ୍ୟା ବଢିଯାଇଥିବା ଜନସାଧାରଣରେ ପ୍ରକାଶ ପାଇଛି। ତା ସାଙ୍ଗକୁ ଦାରିଙ୍ଗବାଡିର ‘ମା ଗୃହ’ଟି ମେଡ଼ିକାଲ ପରିସରରେ ରହିଥିବା ଏକ ସରକାରୀ କୋଠାରେ ଛାଲିଛି। ଯେଉଁଠି ଗର୍ଭବତୀ ମହିଳାଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇପାରିନାହିଁ। କେବଳ କାମ ଚଳା ନୀତିରେ ଏଠି ‘ମା ଗୃହ’ ଚାଲିଛି। ‘ମା ଗୃହ’କୁ ଅଧିକ ଗର୍ଭବତୀ ମହିଳା ଆସିଲେ ଅସ୍ୱାସ୍ତ୍ୟକର ପରିବେଶ ସାଙ୍ଗକୁ ଅଧିକ ସମସ୍ୟା ଭୋଗୁଛନ୍ତି।
ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ଜାଗୃତି ନାମକ ଏକ ସ୍ଥାନୀୟ ଅନୁଷ୍ଠାନ ନେଇଛି। ଅନୁଷ୍ଠାନର ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ ମଧ୍ୟ ‘ମା ଗୃହ’ରେ ରହିଥିବା ସମସ୍ୟାକୁ ନିଜେ ସ୍ୱୀକାର କରିଛନ୍ତି। ଆଉ ଆଗକୁ ଏଭଳି ସମସ୍ୟା ରହିବ ନାହିଁ ବୋଲି ସେ କହିଛନ୍ତି। ହେଲେ ମେଡ଼ିକାଲ ପରିସରରେ ‘ମା ଗୃହ’ ଯଦି ରହିଲା ! ତାହାଲେ ଏହାର ଦାୟିତ୍ୱ କିଭଳି ଏକ ଘରୋଇ ଅନୁଷ୍ଠାନକୁ ଦିଆଗଲା ତାକୁ ନେଇ ଏବେ ବିଭିନ୍ନ ପ୍ରଶ୍ନ ଉଠିଛି? ମେଡ଼ିକାଲ ପରିସରରେ ‘ମା ଗୃହ’ ଯଦି ରହିଲା ତାହାଲେ ମେଡିକାଲ କର୍ତ୍ତୃପକ୍ଷ ଏହାର ଦାୟିତ୍ୱ ଭଲଭାବେ ତୁଲାଇ ପାରନ୍ତେ। ଅଯଥା ସରକାରୀ ଅର୍ଥ ସାରିବା ନୀତିରେ ଏକ ଅନୁଷ୍ଠାନକୁ କାହିଁକି ଦିଆ ଯାଇଛି? ଯେଉଁଥିରେ କି କେବଳ ଯେ ସରକାରୀ ଅର୍ଥରେ ଅନୁଷ୍ଠାନକୁ ପୋଷିବା ନୀତି ଚାଲିଛି। ‘ମା ଗୃହ’ ପାଇଁ ସରକାରଙ୍କ ଯେଉଁସବୁ ଅର୍ଥ ବ୍ୟୟ ହେଉଛି ତାହାର ତ ଏଠି ମୂଳରୁ କିଛି ହି ଖର୍ଚ୍ଚ ହେଉନଥିବ। ତେଣୁ ଏ ଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନିଅନ୍ତୁ, ଆଉ ଗର୍ଭବତୀଙ୍କ ପାଇଁ ‘ମା ଗୃହ’ରେ ଆନୁସଙ୍ଗିକ ବ୍ୟବସ୍ଥା ମାନ କରାନ୍ତୁ ବୋଲି ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି।