ଗୌତମ ଗମ୍ଭୀରଙ୍କୁ ଧମକପୂର୍ଣ୍ଣ ମେଲ ପଠାଇଥିବା ବ୍ୟକ୍ତିର ମିଳିଲା ପରିଚୟ

ନୂଆଦିଲ୍ଲୀ: ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ ଧମକପୂର୍ଣ୍ଣ ଇମେଲ ପଠାଇଥିବା ବ୍ୟକ୍ତିକୁ ଚିହ୍ନଟ କରାଯାଇଛି। ପାକିସ୍ତାନ ନିବାସୀ ସାହିଦ ହମ୍ମିଦଙ୍କ ଆକାଉଣ୍ଟରୁ ଗୌତମ ଗମ୍ଭୀରଙ୍କୁ ମେଲ ଆସିଥିବା ଜଣାପଡ଼ିଛି। ଗମ୍ଭୀରଙ୍କ ଅଭିଯୋଗକୁ ଭିତ୍ତି କରି ଦିଲ୍ଲୀ ପୁଲିସ ଗୁଗୁଲକୁ ଏସମ୍ବନ୍ଧରେ ସୂଚନା ମାଗିଥିଲା। ଗୁଗୁଲର ସୂଚନା ମୁତାବକ ଗୌତମ ଗମ୍ଭୀରଙ୍କୁ ଧମକପୂର୍ଣ୍ଣ ମେଲ ପାକିସ୍ତାନରୁ ଆସିଥିଲା। ଉକ୍ତ ମାମଲାର ଯାଞ୍ଚ ଭାର ଦିଲ୍ଲୀ ପୁଲିସର ସେଣ୍ଟ୍ରାଲ ଡିଷ୍ଟ୍ରିକ ପାଖରେ ରହିଛି। କିନ୍ତୁ ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲ ସମେତ ଅନେକ ଏଜେନ୍ସି ଏହି ମାମଲାକୁ ଦୃଷ୍ଟିରେ ରଖିଛନ୍ତି। ଗମ୍ଭୀରଙ୍କ ସମେତ ଅନ୍ୟ କିଛି ଲୋକଙ୍କୁ ମଧ୍ୟ ଆତଙ୍କବାଦୀ ସଂଗଠନ ତରଫରୁ ଧମକପୂର୍ଣ୍ଣ ମେଲ ମିଳିଛି।

ସୂଚନାଯୋଗ୍ୟ, ଆଇଏସଆଇଏସ କଶ୍ମୀର ନାମରେ ହତ୍ୟା ଧମକଯୁକ୍ତ ମେଲ ମିଳିଥିବା ଗୌତମ ଗମ୍ଭୀର ଅଭିଯୋଗ କରିଥିଲେ। ପରେ ତାଙ୍କ ଘରେ ସୁରକ୍ଷା ବଢ଼ାଇ ଦିଆଯାଇଥିଲା।