ନୀଳଗିରି,ଏଜେନ୍ସି: ବାଲେଶ୍ୱର ଅଞ୍ଚଳରୁ ନୀଳଗିରି ଅଞ୍ଚଳକୁ ମାଡି ଆସୁଛନ୍ତି ଝାଡଖଣ୍ଡୀ ହାତୀପଲ। ଏଭଳି ସୂଚନା ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ବୁଧବାର ବିଳମ୍ବିତ ରାତିରେ ନୀଳଗିରି ସୀମାନ୍ତରେ ୧୭ଟି ହାତୀ ନଡପୁର ଜଙ୍ଗଲ ଛାଡି ବୁଡାବଳଙ୍ଗ ନଦୀ ପାର ହୋଇ କାଠପୋଲ-ଅଯୋଧ୍ୟା ଦେଇ ଗୋପାଳପୁର ସଂରକ୍ଷିତ ଜଙ୍ଗଲରେ ପ୍ରବେଶ କରିଥିବା ଦେଖିବାକୁ ମିଳିଛି।
ନୀଳଗିରି ଅଞ୍ଚଳକୁ ଆଜକୁ ଦୀର୍ଘ ବର୍ଷ ଧରି ଶତାଧିକ ହାତୀପଲ ନୀଳଗିରି ଅଞ୍ଚଳକୁ ପ୍ରବେଶ କରି ଆତଙ୍କ ଚଳାଇଥାନ୍ତି। ଚଳିତବର୍ଷ ମଧ୍ୟ ହାତୀପଲ ଆସିବା ପରେ ଅଞ୍ଚଳରେ ବ୍ୟାପକ କ୍ଷତି ହେବାର ଆଶଙ୍କା ରହିଛି। ପଛରେ ଆଉ ଦୁଇଚି ହାତୀପଲ ନୀଳଗିରି ଆଡକୁ ଆସୁଥିବା ସୂଚନା ମିଳିଛି। ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଅଞ୍ଚଳରେ ୧୬ଟି ହାତୀ ଓଡିଶା ସୀମାନ୍ତ ନିକଟରେ ଓ ତପବନ ଅଞ୍ଚଳରେ ୪୦ଟି ହାତୀ ଥିବା ବନ ବିଭାଗ ଜାଣିବା ପରେ ହାତୀର ଗତିବିଧି ଉପରେ ନଜର ରଖିଛନ୍ତି।
ମାତ୍ର ସମସ୍ତ ହାତୀ ଏକାଠି ହୋଇ ନୀଳଗିରି ଅଞ୍ଚଳକୁ ଆସିଲେ ବୟାପକ ଧାନ ଫସଲ ନଷ୍ଟ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଟ୍ରେଞ୍ଜ ଓ ସୋଲାର ତାରବାଡ ବହୁ ସ୍ଥାନରେ ଅଚଳ ହୋଇଥିବାରୁ ହାତୀପଲ ବ୍ୟାପକ କ୍ଷୟକ୍ଷତି କରିପାରନ୍ତି।