କ୍ରୀଡ଼ାବିତ୍‌, ପାରା କ୍ରୀଡ଼ାବିତ୍‌ଙ୍କୁ ରାଜ୍ୟ ସରକାର ଦେବେ ଚାକିରି

ଭୁବନେଶ୍ୱର,ଏନଏନଏସ: କ୍ରୀଡ଼ା କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା କ୍ରୀଡ଼ାବିତ୍ ଓ ପାରା କ୍ରୀଡ଼ାବିତ୍‌ଙ୍କୁ ଏଣିକି ରାଜ୍ୟ ସରକାର ଦେବେ ଚାକିରି। ସେମାନେ ଉଭୟ ସରକାରୀ କାଯ୍ୟାଳୟ ଓ ସରକାରୀ ଉଦ୍ୟୋଗରେ ଗ୍ରୁପ୍ ‘କ’ କିମ୍ବା ‘ଖ’ରେ ନିଯୁକ୍ତି ପାଇପାରିବେ। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।

କ୍ୟାବିନେଟ୍ ବୈଠକ ଶେଷରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ଓଡ଼ିିଶାରେ କ୍ରୀଡ଼ାର ଉନ୍ନତି ଏବଂ ଅଭିବୃଦ୍ଧି ପାଇଁ ସରକାର ବିଭିନ୍ନ ବିକାଶମୂଳକ ନୀତି ଅନୁସରଣ କରି ଆସୁଛନ୍ତି। କ୍ରୀଡ଼ାବିତ୍ ଓ ପାରା କ୍ରୀଡ଼ାବିତ୍‌ଙ୍କୁ ମଧ୍ୟ ସମାନ ସରକାରୀ ଚାକିରି ମିଳିବ। ଆବଶ୍ୟକସ୍ଥଳେ ବୟସ ସୀମାକୁ କୋହଳ କରାଯିବ। ତେବେ କେଉଁ ସ୍ତରରେ ପ୍ରତିଯୋଗିତାରେ କେଉଁ କ୍ରୀଡ଼ାବିତ୍ କେଉଁ ପଦକ ଜିତିଛନ୍ତି ଚାକିରିବେଳେ ତାହା ଦେଖାଯିବ। ଏଥିପାଇଁ ପ୍ରସ୍ତୁତ ହୋଇଛି ନିୟମାବଳୀ।

ଶ୍ରୀ ମହାପାତ୍ର କହିଛନ୍ତି ଯେ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗର ଶ୍ରେଷ୍ଠ ପାରା କ୍ରୀଡାବିତ୍‌ଙ୍କ ନିମନ୍ତେ ଚାକିରି ବ୍ୟବସ୍ଥା ନଥିଲା। ଏଣିିକି ସେମାନେ ଚାକିରି ପାଇବେ। ଶ୍ରେଷ୍ଠ କ୍ରୀଡାବିତ୍‌ମାନଙ୍କର ନିଯୁକ୍ତି ନିମନ୍ତେ ଏକ ସ୍ୱତନ୍ତ୍ର ନୀତି ପ୍ରଣୟନ ହୋଇଛି। ଯେଉଁ କ୍ରୀଡାବିତ୍ ଓ ପାରା କ୍ରୀଡାବିତ୍ ବିଭିନ୍ନ କ୍ରୀଡ଼ା କ୍ଷେତ୍ରରେ ଶ୍ରେଷ୍ଠ ପ୍ରତିପାଦନ କରିଛନ୍ତି, ସେମାନେ ଅଧିକ ସୁବିଧା ପାଇବେ। ସେମାନଙ୍କର ସଫଳତାକୁ ସରକାର ସ୍ୱୀକୃତି ଦେବେ। ଫଳରେ ଯୁବପିଢ଼ି ଏଥିରେ ଅନୁପ୍ରାଣିତ ହୋଇ କ୍ରୀଡ଼ା କ୍ଷେତ୍ରରେ ଅଧିକ ସଫଳତା ହାସଲ କରିବେ। ତେଣୁ ସରକାର ଶ୍ରେଷ୍ଠ କ୍ରୀଡାବିତ୍ ଏବଂ ଶ୍ରେଷ୍ଠ ପାରା କ୍ରୀଡାବିତ୍‌ଙ୍କୁ ସରକାରୀ କାର୍ଯ୍ୟାଳୟ ଏବଂ ସରକାରୀ କଦ୍ୟୋଗମାନଙ୍କରେ ‘କ’, ‘ଖ’ ଏବଂ ‘ଗ’ ବର୍ଗ ପଦବୀ ଓ ସେବାରେ ନିଯୁକ୍ତି ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆବଶ୍ୟକ ପଡ଼ିଲେ ଚାକିରିରେ ପ୍ରବେଶ ନିୟମ ସର୍ତ୍ତାବଳୀ କୋହଳ ହେବ ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି।