ଦରଦାମ ବୃଦ୍ଧି ବିରୋଧରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଦେଶରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧିକୁ ବିରୋଧ କରି ବିଜୁ ମହିଳା, ଯୁବ, ଛାତ୍ର ଜନତା ଦଳ ପକ୍ଷରୁ ଆଜି ବ୍ରଜରାଜନଗର ଓ ବେଲପାହାଡ଼ ପୌରପରିଷଦ ଓ ଲଖନପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହାସହ ବିଜେଡି ପକ୍ଷରୁ ପୌରକାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ବିଡିଓଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତି କହିଛନ୍ତି ଯେ, ଦେଶରେ ଏବେ ପେଟ୍ରାଲ ଡିଜେଲ ଦର ୧୦୦ଟଙ୍କା ପାରି ହୋଇଥିବାବେଳେ ରନ୍ଧନ ଗ୍ୟାସ ଦର ୧ହଜାରରେ ପହଂଚିଲାଣି। ସେହିପରି ଚାଉଳ, ଚିନି, ଖାଇବା ତେଲ, ପନିପରିବା, ଲୁଣଠୁ ନେଇ ଦିଆସିଲି ପର୍ଯ୍ୟନ୍ତ ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର ବୃଦ୍ଧି ହୋଇଛି। କେନ୍ଦ୍ର ସରକାର ଏହି ଦରଦାମକୁ ହ୍ରାସ କରିବା ପାଇଁ କୌଣସି ପଦକ୍ଷେପ ନେଉ ନାହାନ୍ତି। ଫଳରେ ଦିନକୁଦିନ ସମସ୍ତ ଦ୍ରବ୍ୟର ଦରଦାମ ବଢୁଛି। ଦରଦାମ ବୃଦ୍ଧି ଯୋଗୁ ସାଧାରଣ ଜନତା ନାନାଦି ସମସ୍ୟା ଦେଇ ଗତି କରୁଛନ୍ତି। ଲୋକଙ୍କ ଆର୍ଥିକ ଅବସ୍ଥା ଭୁଷୁଡ଼ିବାରେ ଲିଗିଛି। ଦରଦାମ ବୃଦ୍ଧି ଯୋଗୁ ଅନେକ ଗରିବ ଲୋକେ ନିଜ ପରିବାରକୁ ଦି’ଓଳି ଖାଇବା ଯୋଗାଇ ପାରୁନାହାନ୍ତି। ତେଣୁ ଦେଶର ସାଧାରଣ ଜନତା ଏବେ ଭୋଗୁଥିବା କଷ୍ଟକୁ ଦୂର କରିବା ପାଇଁ କେନ୍ଦ୍ର ସରକାର ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ଶୀଘ୍ର ହ୍ରାସ କରନ୍ତୁ ବୋଲି ବିଧାୟକ ଶ୍ରୀ ମହାନ୍ତି କହିଛନ୍ତି। ସେହିପରି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ଶୀଘ୍ର ହ୍ରାସ କରାନଗଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରାଯିବ ବୋଲି ବିଜେଡି ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ଶମ୍ଭୁ ମହାନ୍ତି, କୈଳାଶ ନାୟକ, ରାଜେଶ ଭୋଇ ଓ ପର୍ଶୁରାମ ସାହୁ ପ୍ରମୁଖଙ୍କ ସହ ବିଜେଡି ଦଳର ସଦସ୍ୟମାନେ ଉପସ୍ଥିତ ଥିଲେ।