ଯୁବକର ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଦେବଗଡ଼,ଏନ୍ଏନ୍ଏସ୍: ବାରକୋଟ ଥାନା ଅନ୍ତର୍ଗତ ବଂପରଡ଼ା ଗ୍ରାମର ରାସ୍ତାକଡ଼ରେ ଥିବା ଏକ ବନ୍ଦ ଦୋକାନ ସମ୍ମୁଖରୁ ଜଣେ ଯୁବକର ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ମଧ୍ୟପୁର ଗ୍ରାମର ଅଂଶୁମାନ ଧଳ ବୋଲି ଜଣାପଡ଼ିଛି। ଏହା ଏକ ହତ୍ୟାକାଣ୍ଡ ହୋଇଥିବା ଗ୍ରାମବାସୀ ସନ୍ଦେହ କରୁଥିବାବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।

ମିଳିଥିବା ରିପୋର୍ଟ ମୁତାବକ, ମୃତ ଅଂଶୁମାନ ଧଳ କିଛିଦିନ ପୂର୍ବେ ବଂପରଡ଼ା ଗ୍ରାମର ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରି ଚେନ୍ନାଇରେ କିଛିଦିନ ରହିବା ପରେ ଶ୍ୱଶୁର ଘରକୁ ଆସିଥିଲେ। ଗତକାଲି ଅଂଶୁମାନ ଶ୍ୱଶୁର ଘରକୁ ଆସିଥିବାବେଳେ ଆଜି ସକାଳେ ତାଙ୍କ ମୃତଦେହ ଗାଁରେ ଥିବା ଏକ ଦୋକାନ ବାରଣ୍ଡାରେ ପଡ଼ିଥିବା କେତେକ ଗ୍ରାମବାସୀ ଦେଖିବାକୁ ପାଇଥିଲେ। ପରେ ବାରକୋଟ ଥାନା ପୁଲିସକୁ ସୂଚନା ଦେଇଥିଲେ। ସୂଚନା ପାଇ ବାରକୋଟ ଥାନାଧିକାରୀ କନକ ମାଝୀ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲେ। ପୂର୍ବାହ୍ନରେ ଦେବଗଡ଼ ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ର ସାଇଣ୍ଟିଫକ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହ ବ୍ୟବଛେଦ ପାଇଁ ପଠାଇଥିଲେ। ତେବେ ଝିଅ ଘର ପରିବାର ସହ ମନମାଳିନ୍ୟ ଥିବା କାରଣରୁ ଯୁବକକୁ ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରୁଛି। ତେବେ ମୃତ ଅଂଶୁମାନଙ୍କ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ପରେ ବାରକୋଟ ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବାରକୋଟ ଥାନା ପୁଲିସ ପକ୍ଷରୁ ସୂଚନା ମିଳିଛି।