ସଇଁନ୍ତଳା,ଏନ୍ଏନ୍ଏସ୍: ଟିଟିଲାଗଡ଼ ସହରରେ ଦିନକୁଦିନ ଅହେତୁକ ଯାନବାହାନ ବୃଦ୍ଧି ଓ ମୁଖ୍ୟତଃ ରାସ୍ତାକଡ଼ର ଜବର ଦଖଲ ଯୋଗୁ ନାନାଦି ସମସ୍ୟା ଦେଖାଦେଉଥିବାରୁ ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ କିଛିଦିନ ଧରି ଟିଟିଲାଗଡ଼ ପୌର ପ୍ରଶାସନ ଅଣ୍ଟା ଭିଡ଼ିଛି। ଏହି କ୍ରମରେ ପୌର ପରିଷଦ ପକ୍ଷରୁ ପୌର ନିର୍ବାହୀ ଅଧିକାରୀ ତଥା ଟିଟିଲାଗଡ଼ ଉପଜିଲ୍ଲାପାଳ ମହାଜନ ମନୋଜ ସତ୍ୟବାନ, ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ରନାଥ ଶତପଥୀ, ଅତିରିକ୍ତ ତହସିଲଦାର କର୍ଣ୍ଣ ମଲ୍ଲିକ, ପୁଲିସ ଓ ପୌର କର୍ମଚାରୀଙ୍କ ଏକ ମିଳିତ ଟିମ ସହ ଉପଜିଲ୍ଲାପାଳ ନିଜେ ଉପସ୍ଥିତ ରହିି ଆଜି ସକାଳୁ ସହରର ପେଟ୍ରୋଲ ପମ୍ପ ଛକଠାରୁ ମାଉସୀ ମା’ ମନ୍ଦିର ଛକ ପର୍ଯ୍ୟନ୍ତ ରାସ୍ତାକଡ଼ର ଉଠା ଦୋକାନୀଙ୍କୁ ଉଠାଇ ଜବର ଦଖଲ ଉଚ୍ଛେଦ କରିଥିଲେ। ସହରର ସମସ୍ତ ମୁଖ୍ୟ ରାସ୍ତା ଅଣଓସାରିଆ ହୋଇଥିବା ଯୋଗୁ ଅନେକ ଯାନବାହାନ ବିଭିନ୍ନ ଦୋକାନ ସମ୍ମୁଖରେ ରହି ନିୟମିତ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛି। ସହର ମଧ୍ୟରେ ବିଭିନ୍ନ ବ୍ୟାଙ୍କ ରାସ୍ତା ଉପରେ ଥିବାବେଳେ ସେମାନଙ୍କ ନିଜସ୍ୱ ପାର୍କିଂ ବ୍ୟବସ୍ଥା ନଥିବା ଯୋଗୁ ବ୍ୟାଙ୍କ କାରବାର ସମୟରେ ରାସ୍ତା ଜାମ ଭଳି ପରିସ୍ଥିତି ପ୍ରତିଦିନ ସୃଷ୍ଟି ହୋଇଥାଏ। ଟ୍ରାଫିକ ସମସ୍ୟା ଯୋଗୁ ସହର ମଧ୍ୟରେ ବାରମ୍ବାର ବିଭିନ୍ନ ଦୁର୍ଘଟଣା ଘଟି ଅନେକ ଧନଜୀବନ ନଷ୍ଟ ହେଉଥିବା ମଧ୍ୟ ନଜିର ରହିଛି। ସହର ମଧ୍ୟରେ ଟ୍ରାଫିକ ନିୟନ୍ତ୍ରଣ ଉଦ୍ଦେଶ୍ୟରେ କିଛିଦିନ ତଳେ ଟିଟିଲାଗଡ଼ ଉପଜିଲ୍ଲାପାଳ ପତ୍ର ସଂଖ୍ୟା ୫୨୫୪/୧୨.୧୧.୨୦୨୧ ମାଧ୍ୟମରେ ଏକ ଆଦେଶ ଜାରି କରି ସହର ମଧ୍ୟକୁ ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସମସ୍ତ ବ୍ୟବସାୟିକ ଭାରିଯାନର ପ୍ରବେଶକୁ ନିଷେଧ କରିଥିବାବେଳେ କେବଳ ପିଡିଏସ ଯୋଗାଣ ଗାଡ଼ିକୁ ଅନୁମତି ଦିଆଯାଇଛି। ତେବେ ରାସ୍ତାକଡ଼ର ଜବର ଦଖଲ ଉଚ୍ଛେଦ କରାଯିବା ସହ ୧୧ଜଣ ଉଠା ଦୋକାନୀଙ୍କୁ ଲଟେରୀ ମାଧ୍ୟମରେ କିଛିଦିନ ପୂର୍ବରୁ ସ୍ଥାନୀୟ ବିଧାୟିକା ତଥା ମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହୋଇଥିବା ଭେଣ୍ଡିଙ୍ଗ ଜୋନରେ ଥଇଥାନ କରାଯାଇଛି। ତେବେ ଏହାର ସ୍ଥାୟୀ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜନସାଧାରଣରେ ଦାବି ହୋଇଛି।