ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ପିଥୋରାଗଢ଼ ଜିଲ୍ଲାସ୍ଥିତ ଝୁଲାଖେତ ଗାଁରେ ସହିଦ ସମ୍ମାନ ଯାତ୍ରାରେ ଭାଗ ନେବା ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି। ରାଜନାଥ କହିଛନ୍ତି ଯେ, ପାକିସ୍ତାନ ସର୍ବଦା ଭାରତର ଶାନ୍ତି ଭଙ୍ଗ କରିବାକୁ ଚେଷ୍ଟା କରିଛି କିନ୍ତୁ ଆମେ ପାଲଟା ଆକ୍ରମଣ କରିବୁ ବୋଲି ତାଙ୍କୁ ସ୍ପଷ୍ଟ ବାର୍ତ୍ତା ଦେଇଛୁ। ଏହା ଏକ ନୂଆ ଓ ଶକ୍ତିଶାଳୀ ଭାରତ। ଯିଏକି କାହାରି ସାମ୍ନାରେ ମୁଣ୍ଡ ନୂଆଁଇବ ନାହିଁ।
ସହିଦ ସମ୍ମାନ ଯାତ୍ରାରେ ଭାଗ ନେଇ ନିଜ ସମ୍ବୋଧନରେ ରାଜନାଥ ସିଂ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ପ୍ରଶଂସା କରିଛନ୍ତି। ସେ ପୁଷ୍କର ଧାମୀଙ୍କୁ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସହ ତୁଳନା କରି ଧୋନୀଙ୍କ ପରି ଧାମୀ ମଧ୍ୟ ଜଣେ ଗ୍ରେଟ ଫିନିଶର ବୋଲି କହିଛନ୍ତି।
ରାଜନାଥ ସିଂହ ଆହୁରି କହିଛନ୍ତି ଯେ, ଆମ ଦେଶକୁ ସୁରକ୍ଷା ପ୍ରଦାନ କରୁଥିବା ଯବାନଙ୍କ ସମ୍ମାନ ଓ କଲ୍ୟାଣ ପାଇଁ ଆମ ସରକାର ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିଛି। ସର୍ଟ ସର୍ଭିସ କମିଶନ ମାଧ୍ୟମରେ ଆସୁଥିବା ଅଧିକାରୀ ସେବା ଛାଡ଼ିବା ପରେ ତାଙ୍କୁ ରାଙ୍କ ଲଗାଇବାର ପରାମର୍ଶ ମିଳୁନଥିବା ଅଭିଯୋଗ କରିଥିଲେ। ଆମେ ସେହି ସମସ୍ୟାକୁ ମଧ୍ୟ ଦୂର କରିଦେଇଛୁ।