ଆମେରିକାରେ ୧୮ ବର୍ଷରୁ ଅଧିକ ସମସ୍ତେ ନେବେ ବୁଷ୍ଟର ଡୋଜ୍‌, ଅନୁମତି ପ୍ରଦାନ କଲା ସିଡିସି

ଆମେରିକା,ଏଜେନ୍ସି: ଆମେରିକାରେ ୧୮ ବର୍ଷରୁ ଅଧିକ ସମସ୍ତେ ନେବେ ବୁଷ୍ଟର ଡୋଜ୍‌। ଏନେଇ ଆମେରିକାର ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ୍‌ ବା ସିଡିସି ଅନୁମତି ପ୍ରଦାନ କରିଛି। କୋଭିଡ୍‌ ଟିକାର ଦ୍ୱିତୀୟ ଡୋଜ୍‌ ନେବାର ୬ ମାସ ପରେ ବୁଷ୍ଟର ଡୋଜ ନେବେ। ଆମେରିକାରେ ମଡେର୍ଣ୍ଣା ଓ ଫାଇଜର ଟିକାର ବୁଷ୍ଟର ଡୋଜ୍‌କୁ ଅନୁମତି ମିଳିଛି। ୧୮ ବର୍ଷରୁ ଅଧିକ ବୟସ୍କ ଏହି ବୁଷ୍ଟର ଡୋଜ୍‌ ନେବେ। ଜନସନ ଆଣ୍ଡ ଜନସନର ସିଙ୍ଗଲ ଡୋଜ୍‌ ନେଇଥିଲେ ଦୁଇ ମାସ ପରେ ବୁଷ୍ଟର ନେବେ।

ବର୍ତ୍ତମାନ ୟୁରୋପ ମହାଦେଶ ସମେତ ବିଭିନ୍ନ ଦେଶରେ କରୋନା କାୟା ମେଲାଉଛି। ବହୁ ଦେଶ କଟକଣାକୁ ପୁଣି ଥରେ କଡ଼ାକଡ଼ି କରୁଥିବା ବେଳେ ବୁଷ୍ଟର ଡୋଜ୍‌ ନେଇ ବିଚାରବିମର୍ଶ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ୩୬ଟି ଦେଶ କରୋନାର ବୁଷ୍ଟର ଡୋଜକୁ ଅନୁମତି ଦେଇ ସାରିଲେଣି। ନିକଟରେ ଭାରତ ବାୟୋଟେକ୍‌ ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଣା ଏଲ୍ଲା ବୁଷ୍ଟର ଡୋଜ୍‌ ସପକ୍ଷରେ ମତ ରଖିଥିଲେ।

ସେ କହିଥିଲେ, କୋଭିଡ ଟିକାର ୨ୟ ଡୋଜ ନେବାର ଛଅ ମାସ ପରେ ବୁଷ୍ଟର ଡୋଜ୍‌ ନେବା ହେଉଛି ସଠିକ ସମୟ। ଏଥିସହ ନାଜାଲ ଟିକାର ଗୁରୁତ୍ୱ ଉପରେ ଜୋର ଦେଇଥିଲେ। ନାଜାଲ ଟିକା ଭାଇରସର ସଂକ୍ରମଣକୁ ରୋକିବାରେ ସାଧାରଣ ଟିକା ଅପେକ୍ଷା ଅଧିକ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥାଏ। ଏହାଦ୍ୱାରା ଟିକା ନେଇଥିବା ଲୋକଙ୍କୁ ମାସ୍କ ପିନ୍ଧିବାର ଆବଶ୍ୟକତା ରହିବ ନାହିଁ।