ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆହୁରି ସୁଦୃଢ଼ ହେବ ସଡ଼କ ସୁରକ୍ଷା। ଏନେଇ ପରିବହନ ବିଭାଗ ପକ୍ଷରୁ ବେସରକାରୀ ସଂଗଠନ ସେଭ୍ ଲାଇଫ୍ ଫାଉଣ୍ଡେସନ୍ ସହ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତିନାମାକୁ ରାଜ୍ୟ ପରିବହନ ପ୍ରାଧିକରଣ ଯୁଗ୍ମ କମିଶନର ସଞ୍ଜୟ ବିଶ୍ୱାଳ ଏବଂ ସେଭ୍ ଲାଇଫ୍ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ସିଇଓ ପୀୟୁଷ ତିୱାରୀ ସ୍ୱାକ୍ଷର କରିଛନ୍ତି। ରାଜ୍ୟରେ ଚିହ୍ନଟ ଶହେରୁ ଅଧିକ ଅସୁରକ୍ଷିତ ସ୍ଥାନ ବା ବ୍ଲାକସ୍ପଟରେ ଦୁର୍ଘଟଣା ହ୍ରାସ କରିବା ଦିଗରେ ଫାଉଣ୍ଡେସନ୍ କାମ କରିବ, ସୁପାରିସ କରିବ ଏବଂ ସାହାଯ୍ୟ କରିବ।
ଆସନ୍ତା ୩ବର୍ଷ ମଧ୍ୟରେ ଓଡ଼ିଶାରେ ସଡ଼କ ମୃତ୍ୟୁକୁ ହ୍ରାସ କରିବାକୁ ଲକ୍ଷ୍ୟରଖାଯାଇଛି। କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ପରିବହନ କମିଶନର ଅରୁଣ ବୋଥ୍ରା କହିଛନ୍ତି ଯେ ସଡ଼କ ସୁରକ୍ଷା ଆମପାଇଁ ଏକ ଉଚ୍ଚ ପ୍ରାଥମିକ କ୍ଷେତ୍ର। ରାସ୍ତାକୁ ଅଧିକ ସୁରକ୍ଷିତ କରିବା ପାଇଁ ଆମେ ବିଭିନ୍ନ ଦିଗରେ କାର୍ଯ୍ୟକରୁଛୁ। ସେଭ୍ ଲାଇଫ୍ ଫାଉଣ୍ଡେସନ୍ ସହିତ ଏମ୍ଓୟୁ ଏକ ପ୍ରମୁଖ ପଦକ୍ଷେପ। ପ୍ରତିକାର ବ୍ୟବସ୍ଥା ପ୍ରସ୍ତାବିତ ଏବଂ କାର୍ଯ୍ୟକାରୀ ହେବା ପରେ ମୃତ୍ୟୁହାର ପ୍ରାୟ ୩୦ରୁ ୫୦ ପ୍ରତିଶତ ହ୍ରାସପାଇବ ବୋଲି ଆଶା କରାଯାଉଛି। ସେହିପରି ଜୀବନ ରକ୍ଷାପାଇଁ ପରିବହନ ବିଭାଗର ପ୍ରତିବଦ୍ଧତାକୁ ପ୍ରଶଂସା କରିଛି ସେଭ୍ ଲାଇଫ୍ ଫାଉଣ୍ଡେସନ।