ପୋଖରୀରୁ ମାଆ-ପୁଅଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ନିଆଳି,ଏନ୍ଏନ୍ଏସ୍: କଟକ ଜିଲ୍ଲା ନିଆଳିର ଏକ ପୋଖରୀରେ ଭାସୁଛି ମାଆ ଓ ପୁଅର ମୃତଦେହ। ଖବର ପାଇ ଉଦ୍ଧାର କରିଛି ପୁଲିସ। ବିଶ୍ବନାଥ ମନ୍ଦିର ଦର୍ଶନ କରି ଫେରିବା ସମୟରେ ଶୌଚ ପାଇଁ ଯାଇ ମାଆ-ପୁଅଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ନିଆଳିର କୃଷ୍ଣ ପ୍ରସାଦ ପଞ୍ଚାୟତ ପୁରୁଣାସାତଙ୍ଗ ଗାଁ ନିକଟରେ ଏହି ଅଘଟଣ ଘଟିଛି।

ରୀତା ମିଶ୍ର ନାମକ ଏକ ମହିଳା ପୁରୁଣାସାତଙ୍ଗ ନିଜ ବାପ ଘର ବୈଦ୍ବେଶ୍ବର ପଣ୍ତାଙ୍କ ଘରକୁ ଆସିଥିଲେ। ଆଜି ସକାଳେ ୮ ବର୍ଷର ପୁଅ ରଞ୍ଜିତ ମିଶ୍ରଙ୍କୁ ନେଇ ବିଶ୍ବନାଥ ମନ୍ଦିର ଦର୍ଶନ ପାଇଁ ଯାଇଥିଲେ। ଏହି ସମୟରେ ଫେରିବା ବାଟରେ ଏକ ପୋଖରୀକୁ ଶୌଚ ପାଇଁ ଯାଇ ଜଳ ସମାଧି ହୋଇଛନ୍ତି ବୋଲି ଅନୁମାନ କରାଯାଉଛି। କିନ୍ତୁ କେଉଁ କାରଣରୁ ମୃତ୍ୟୁ ଘଟିଛି ସେନେଇ ସ୍ପଷ୍ଟ ହୋଇନାହିଁ। ପ୍ରଥମେ ଶିଶୁ ପୁତ୍ର ଓ ପରେ ମାଆଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି।

ତେବେ ଏହା ଆତ୍ମହତ୍ୟା କି ଅସାବଧାନତାରୁ ମୃତ୍ୟୁ ହୋଇଛି ତାହା ଏବେ ରହସ୍ୟ ଘେରରେ। ଘଟଣାସ୍ଥଳରେ ନିଆଳି ପୁଲିସ ପହଞ୍ଚି ତଦନ୍ତ କରିବା ସ‌ହ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କଟକ ବଡ ମେଡିକାଲକୁ ପଠାଇଛି। ତେବେ ରୀତା ମିଶ୍ର କାକଟପୁର ଅଞ୍ଚଳର ଭିଡାବନ୍ଧରେ ବିବାହ କରିଥିଲେ।