ମୋଦୀଙ୍କ ୪ ଘଣ୍ଟା ଗସ୍ତ ପାଇଁ ୨୩ କୋଟି ଖର୍ଚ୍ଚ କରିବେ ମଧ୍ୟପ୍ରଦେଶ ସରକାର

ଭୋପାଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୫ରେ ଆଦିବାସୀ ନେତା ବିର୍ସା ମୁଣ୍ଡା ଜନଜାତୀୟ ସମ୍ମିଳନୀରେ ସାମିଲ ହେବା ପାଇଁ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ଗସ୍ତ କରିବେ। ମୋଦୀ ଭୋପାଳରେ ୪ ଘଣ୍ଟା ରହିବେ। ଏହି କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାର ୨୩ କୋଟି ଟଙ୍କା ଖର୍ଚ୍ଚ କରିବେ। ଅନ୍ୟପଟେ ଜମ୍ବୁରୀ ମଇଦାନରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ମୋଦୀ ୧ ଘଣ୍ଟା ୧୫ ମିନିଟ୍ ରହିବେ। ପ୍ରଧାନମନ୍ତ୍ରୀ ମୋଦୀ ଓ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସମେତ କିଛି ନେତା ମୁଖ୍ୟ ମଞ୍ଚରେ ବସିବେ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥାରେ ୩୦ ବରିଷ୍ଠ ଅଧିକାରୀଙ୍କ ସମେତ ୫ହଜାରରୁ ଅଧିକ ପୁଲିସକର୍ମୀ ଉପସ୍ଥିତ ରହିବେ। ମୋଦୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ହୋଟେଲରେ ରହିଥିବା ବାହାର ବ୍ୟକ୍ତିଙ୍କ ତଥ୍ୟ ଜୁଟାଇବା କାମ ପୁଲିସ ଆରମ୍ଭ କରିଦେଇଛି।