ନବାବ ମଲିକଙ୍କ ବିରୋଧରେ ମାନହାନି ମକଦ୍ଦମା ରୁଜୁ କଲେ ସମୀର ୱାଙ୍ଖେଡେଙ୍କ ପିତା

ମୁମ୍ବାଇ,ଏଜେନ୍ସି: ମହାରାଷ୍ଟ୍ରର କ୍ୟାବିନେଟ ମନ୍ତ୍ରୀ ନବାବ ମଲିକ ଡ୍ରଗ୍ସ କେସକୁ ନେଇ ଲଗାତାର ଏନସିବି, ସମୀର ୱାଙ୍ଖେଡେ ଓ ତାଙ୍କର ପରିବାରକୁ ଟାର୍ଗେଟ କରୁଛନ୍ତି। ଏବେ ସମୀର ୱାଙ୍ଖେଡେଙ୍କ ପିତା ଧ୍ୟାନଦେବ ୱାଙ୍ଖେଡେ ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ସେ ନବାବ ମଲିକଙ୍କ ବିରୋଧରେ କୋର୍ଟରେ ମାନହାନି ମକଦ୍ଦମା ରୁଜୁ କରିଛନ୍ତି। ଆବେଦନ ପତ୍ରରେ ଧ୍ୟାନଦେବ କହିଛନ୍ତି ଯେ, ନବାବ ମଲିକଙ୍କ ଦ୍ୱାରା ଅଣାଯାଇଥିବା ବୟାନ ତାଙ୍କର (ୱାଙ୍ଖେଡେ ପରିବାର ପ୍ରତି) ଚରିତ୍ର ଓ ପ୍ରତିଷ୍ଠାକୁ ଆଘାତ କରିଛି।

ସୂଚନାଯୋଗ୍ୟ, ସମୀର ୱାଙ୍ଖେଡେ ମୁମ୍ବାଇ ଏନସିବିର ଜୋନାଲ ଡାଇରେକ୍ଟର ଅଛନ୍ତି ଏବଂ ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ନବାବ ମଲିକଙ୍କ ଜ୍ବାଇଁ ସମୀର ଖାନ ସମେତ ବଲିଉଡ ସହିଜ ଜଡ଼ିତ ଏକାଧିକ ମାମଲାର ତଦନ୍ତ ଅଧିକାରୀ। ମାତ୍ର ସେ ଆର୍ଯ୍ୟନ ଖାନ ସମେତ ୬ କେସ‌ ଫେରାଇ ନେଇଛନ୍ତି।

ୱାଙ୍ଖେଡେଙ୍କ ଓକିଲ ଅର୍ଶଦ ଖାନ କହିଛନ୍ତି ଯେ, ମଲିକ ୱାଙ୍ଖେଡେଙ୍କ ପରିବାରକୁ ଠକ କହୁଛନ୍ତି ଏବଂ ତାଙ୍କର ଧର୍ମ ଉପରେ ପ୍ରଶ୍ନ ଉଠାଉଛନ୍ତି ଯେ, ସେମାନେ ହିନ୍ଦୁ ନୁହଁନ୍ତି। ମଲିକ ଦୈନିକ ପୂରା ପରିବାରକୁ ଠକ କହୁଛନ୍ତି। ସେମାନେ ତାଙ୍କର ଝିଅ ୟାସ୍ମୀନଙ୍କ କ୍ୟାରିୟର ମଧ୍ୟ ବର୍ବାଦ କରୁଛନ୍ତି।