କେଦାରନାଥରେ ମହାରୁଦ୍ରାଭିଷେକ କଲେ ମୋଦି, ୧୩୦ କୋଟି ମୂଲ୍ୟ ପ୍ରକଳ୍ପ ଲୋକାର୍ପିତ

ଡେରାଡୁନ,ଏଜେନ୍ସି: ଆଜି(ଶୁକ୍ରବାର) ପ୍ରସିଦ୍ଧ ଶୈବ ପୀଠ କେଦାରନାଥ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏକ ସ୍ବତନ୍ତ୍ର ହେଲିକାପ୍ଟରେ ସମୟ ୯ଟାରେ ଉତ୍ତରାଖଣ୍ଡ ଭୂମିରେ ପହଞ୍ଚିଥିଲେ ମୋଦି। ପ୍ରଥମେ ବାବା କେଦାରନାଥଙ୍କୁ ଦର୍ଶନ କରି ୧୩୦ କୋଟି ମୂଲ୍ୟ ନିର୍ମିତ ପ୍ରକଳ୍ପର ଉଦଘାଟନ କରିଛନ୍ତି ପିଏମ।

ଦେବଭୂମିରେ ପହଞ୍ଚିବା ପରେ ତାଙ୍କୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏବଂ ଉପରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ ଗୁରମିତ ସିଂ (ଅବସରପ୍ରାପ୍ତ) ସ୍ବାଗତ କରିଥିଲେ। ସେଠାରୁ ପ୍ରଧାନମନ୍ତ୍ରୀ କେଦାରନାଥ ଧାମ ଅଭିମୁଖେ ଯାତ୍ରା କରିଥିଲେ। ପୀଠରେ ପହଞ୍ଚି ପ୍ରଧାନମନ୍ତ୍ରୀ ଦେଶର ସୁରକ୍ଷା ପାଇଁ ମହାରୁଦ୍ରାଭିଷେକ କରିଥିଲେ। ଏହାପରେ ଆଦି ଶଙ୍କରାଚାର୍ଯ୍ୟଙ୍କ ସମାଧିର ଉଦଘାଟନ କରିଥିଲେ। ୨୦୧୩ ବର୍ଷା ବିତ୍ପାତରେ କେଦାରନାଥରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ଉକ୍ତ ସ୍ଥାନରେ ପୁନଃନିର୍ମାଣ ସହିତ ସେହି ପ୍ରଳୟରେ କ୍ଷତିଗ୍ରସ୍ତ ହୋଇଥିବା ଆଦି ଶଙ୍କରାଚାର୍ଯ୍ୟଙ୍କର ୧୨ ଫୁଟ ଉଚ୍ଚତାର ପ୍ରତିମା ଏବଂ ସମାଧିକୁ ନୂଆ କରି ନିର୍ମାଣ କରାଯାଇଛି। ଯାହାକୁ ପ୍ରଧାନମନ୍ତ୍ରୀ ଉନ୍ମୋଚିତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ସଂସ୍କୃତରେ ଶଙ୍କରଙ୍କ ଅର୍ଥ ହେଉଛି – ‘ସା କାରୋତି ସାହା ଶଙ୍କରା’, ଅର୍ଥାତ୍ ଯିଏ କଲ୍ୟାଣ କରନ୍ତି, ସେ ହେଉଛନ୍ତି ଶଙ୍କର। ଏହା ଶଙ୍କରାଚାର୍ଯ୍ୟ ପ୍ରମାଣିତ କରିଛନ୍ତି। ତାଙ୍କ ଜୀବନ ଯେତେ ଅସାଧାରଣ ଥିଲା, ସେ ସାଧାରଣ ଲୋକଙ୍କ କଲ୍ୟାଣ ପାଇଁ ଅଧିକ ଉତ୍ସର୍ଗୀକୃତ ହୋଇଥିଲେ ବୋଲି କହିଛନ୍ତି ମୋଦି।ଶଙ୍କରାଚାର୍ଯ୍ୟଙ୍କ ପ୍ରତିମାର ଓଜନ ୩୫ ଟନ୍‍। ୨୦୧୯ରୁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଅଷ୍ଟମ ଶତାବ୍ଦୀର ହିନ୍ଦୁ ଧର୍ମର ଗୁରୁ ଆଦି ଶଙ୍କରାଚାର୍ଯ୍ୟ କେଦାରନାଥରେ ମୋକ୍ଷପ୍ରାପ୍ତ ହୋଇଥିଲେ। ଉକ୍ତ ସ୍ଥାନରେ ତାଙ୍କର ସମାଧି ନିର୍ମାଣ କରାଯାଇଥିଲା। ଏହାପରେ ପ୍ରଧାନମନ୍ତ୍ରୀ ୧୩୦କୋଟି ଟଙ୍କା ବ୍ୟୟରେ କେଦାରପୁରୀ ପୁନର୍ଗଠନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହା ସହିତ ଅଳକାନନ୍ଦା ନଦୀ ଉପରେ ନିର୍ମିତ ଏକ ସେତୁକୁ ମଧ୍ୟ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିଛନ୍ତି। ମୋଦିଙ୍କ ଦ୍ବାରା ଉଦଘାଟିତ ହୋଇଥିବା ବିଭିନ୍ନ ପ୍ରକଳ୍ପ ଉତ୍ତରାଖଣ୍ଡକୁ ପର୍ଯ୍ୟଟନ କ୍ଷେତ୍ରରେ ଆଉ ଟିକେ ସଫଳତା ଦେଇଛି।

ଗତ ୧୦୦ ବର୍ଷ ଅପେକ୍ଷା ଆଗାମୀ ୧୦ ବର୍ଷ ଭିତରେ ଏଠାକୁ ଅଧିକରୁ ଅଧିକ ପର୍ଯ୍ୟଟକଙ୍କ ଭିଡ ଲାଗିବ ବୋଲି କହିଛନ୍ତି ମୋଦି। ଆଗରୁ ଏଠାରେ ଯୋଗାଯୋଗ ପାଇଁ କିଛି ବ୍ୟବସ୍ଥା ନଥିବା ମାତ୍ର ବର୍ତ୍ତମାନ ଏଠାରେ ଇଣ୍ଟରନେଟ ସେବାଠୁ ନେଇ ଯାତାୟତ ସବୁର ସୁବିଧା ହୋଇଛି। ଏହା ପର୍ଯ୍ୟଟନ କ୍ଷେତ୍ରକୁ ଆଉ ଟିକେ ଖୋରାକ ଯୋଗାଇବ ବୋଲି କହିଛନ୍ତି ମୋଦି। ୨୦୧୩ ବନ୍ୟା ପରେ କୋଦାରନାଥରେ ବିକାଶ ପାଇଁ ଖୁସି ଜାହିର କରିଛନ୍ତି ପ୍ରଧାନମନ୍ତ୍ରୀ। କେଦାରନାଥ ଆଉ ଥରେ ଅଣ୍ଟା ଭିଡି ଛିଡା ହୋଇଛି। ବିକାଶ କାର୍ଯ୍ୟ ସଫଳ ହୋଇଥିବାରୁ ମୁଁ ବହୁତ ଖୁସି ବୋଲି କହିଛନ୍ତି ମୋଦି। ଇଶ୍ବରଙ୍କ କୃପାରୁ କେଦାରନାଥର ବିକାଶ ହୋଇଛି।

ଲୋକାର୍ପଣ କାର୍ଯ୍ୟକ୍ରମ ପରେ ଉତ୍ତରାଖଣ୍ଡବାସୀଙ୍କୁ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ। ଜୟ ବାବା କେଦାରନାଥ କହି ମୋଦି ଅଭିଭାଷଣ ଆରମ୍ଭ କରିଥିଲେ। ଏହି ଭୂମି ମହାନ ବ୍ୟକ୍ତିତ୍ବଙ୍କୁ ଜନ୍ମ ଦେଇଛି। ଦେଶକୁ ସୁରକ୍ଷା ଦେଉଥିବା ସେନାଙ୍କ ଏହି ଭୂମି। ଏ ଭୂମିର ବିକାଶ କେବେ ଅଟକିବ ନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ମୋଦି ଆହୁରି କହିଛନ୍ତି ୨୦୧୩ରେ କେଦାରନାଥରେ ହୋଇଥିବା କ୍ଷତିକୁ ମୁଁ ବାରମ୍ବାର ସମୀକ୍ଷା କରିଛି। ରାଜ୍ୟରେ ଏପରି ବିପତ୍ତି ମୋତେ ଅଟକାଇ ପାରିନଥିଲା। ମୁଁ ମୋ କାର୍ଯ୍ୟାଳୟରୁ ପ୍ରତିଦିନ ପୁଃନଉଦ୍ଧାର କାର୍ଯ୍ୟ ସମୀକ୍ଷା କରିଥିବା କହିଛନ୍ତି।

କୋଭିଡ ମହାମାରୀକୁ ମୁକାବିଲା କରିବାରେ ଉତ୍ତରାଖଣ୍ଡ ସଫଳ ହୋଇଛି। ମହାମାରୀର ସଫଳ ମୁକାବିଲା ନେଇ ରାଜ୍ୟବାସୀ ଓ ପ୍ରଶାସନକୁ ପ୍ରଶଂସା କରିଛନ୍ତି ମୋଦି। ପ୍ରଥମ ଡୋଜ ଟିକା ଦେବାର ୧୦୦ ପ୍ରତିଶତ ସଫଳ ହୋଇଛି ଉତ୍ତରାଖଣ୍ଡ। ଏହା ରାଜ୍ୟବାସୀଙ୍କ ଶକ୍ତି ଓ ସାମର୍ଥକୁ ପ୍ରତିପାଦିତ କରୁଛି ବୋଲି କହିଛନ୍ତି ମୋଦି। ପ୍ରଧାନମନ୍ତ୍ରୀ ହେବା ପରେ ସେ ପଞ୍ଚମ ଥର ଲାଗି ଏହି ତୀର୍ଥସ୍ଥଳ ଗସ୍ତ କରିଛନ୍ତି ମୋଦି।