ମାଲାବାର ଯୁଦ୍ଧାଭ୍ୟାସରେ ଭାଗନେବେ ଭାରତ, ଜାପାନ ଓ ଆମେରିକା ନୌସେନା

ନୂଆଦିଲ୍ଲୀ,ଏନ୍ଏନ୍ଏସ୍: ଭାରତ, ଜାପାନ ଓ ଆମେରିକା ମଧ୍ୟରେ ତ୍ରିପାକ୍ଷିକ ମାଲାବାର ସାମୁଦ୍ରିକ ଅଭ୍ୟାସର ୨୩ତମ ସଂସ୍କରଣ ଜାପାନ ଉପକୂଳରେ ୨୦୧୯ ସେପ୍ଟେମ୍ବର ୨୬ରୁ ଅକ୍ଟୋବର ୪ ମଧ୍ୟରେ ଅନୁଷ୍ଠିତ ହେବ । ଏହି ଯୁଦ୍ଧାଭ୍ୟାସରେ ଭାଗନେବା ପାଇଁ କମାଣ୍ଡିଂ ଇଷ୍ଟର୍ଣ୍ଣ ଫ୍ଲିଟର ଫ୍ଲାଗ ଅଫିସର ରିଅର ଆଡମିରାଲ ସୁରଜ ବେରୀଙ୍କ ସହିତ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଦୁଇଟି ପ୍ରମୁଖ ଭାରତୀୟ ନୌଜାହାଜ-ବହୁବିଧ କ୍ଷେପଣାସ୍ତ୍ର ପ୍ରକ୍ଷେପଣ କ୍ଷମତା ବିଶିଷ୍ଟ ସହ୍ୟାଦ୍ରି ଏବଂ ଏଏସଡବ୍ଲୁ କର୍ଭେଟ କିଲଟନ ଆଜି ସାସେବୋରେ ପହଂଚିଛନ୍ତି ।

ଏହି ନୌଜାହାଜ ମାନଙ୍କ ସହ ପି୮ଆଇ ଦୂରଗାମୀ ସାମୁଦ୍ରିକ ପାଟ୍ରୋଲ ବାୟୁଯାନ ମଧ୍ୟ ଯୁଦ୍ଧାଭ୍ୟାସରେ ଭାଗନେବା ପାଇଁ ଜାପାନରେ ପହଂଚିଛି । ଆମେରିକୀୟ ନୌସେନାରେ ସାମିଲ ରହିଛି ୟୁଏସଏସ ମ୍ୟାକ କ୍ୟାମ୍ପବେଲ ବୁଡାଜାହାଜ ଏବଂ ପି୮ଏ ଦୂରଗାମୀ ସାମୁଦ୍ରିକ ପାଟ୍ରୋଲ ବାୟୁଯାନ । ଇଜୁମୋକ୍ଲାସ ହେଲିକପ୍ଟର ବିଧ୍ୱଂସକ ଜେଏସ କାଗା, କ୍ଷେପଣାସ୍ତ୍ର ବିଧ୍ୱଂସକ ଜେଏସ ସାମିଦାରେ ଓ ଚୌକାଇ ଏବଂ ପି୧ ଦୂରଗାମୀ ସାମୁଦ୍ରିକ ପାଟ୍ରୋଲ ବାୟୁଯାନ ମଧ୍ୟ ଯୁଦ୍ଧାଭ୍ୟାସରେ ଭାଗନେବ ।

ମାଲାବାର ୨୦୧୯ ଦ୍ୱାରା ଭାରତ-ଜାପାନ ଓ ଆମେରିକା ମଧ୍ୟରେ ନୌସେନା କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇବା ସହିତ ଅନୁଭବ ଓ ଉପଲବ୍ଧିର ଆଦାନ ପ୍ରଦାନ କରାଯାଇପାରିବ । ଏହି ଯୁଦ୍ଧାଭ୍ୟାସରେ ସମୁଦ୍ର ଉପରେ, ଅଳ୍ପ ଗଭୀରତାରେ, ଅଧିକ ଗଭୀରତାରେ, ବୁଡାଜାହାଜ ନିରୋଧି ଯୁଦ୍ଧ, କ୍ଷେପଣାସ୍ତ୍ର ନିରୋଧି ଯୁଦ୍ଧ ଆଦି ରଣନୀତି ସମ୍ବନ୍ଧରେ ଅଭ୍ୟାସ କରାଯିବ । ଏଥି ସହିତ ଏହି ଅଭ୍ୟାସ କାଳରେ ଆନୁଷ୍ଠାନିକ ଗସ୍ତ, ବୃତିଗତ ଭାବ ବିନିମୟ, ବିଭିନ୍ନ ବିଷୟ ଉପରେ ବିଶେଷଜ୍ଞତାର ଆଦାନ ପ୍ରଦାନ, ପାରସ୍ପରିକ ଜାହାଜକୁ ଗସ୍ତ, କ୍ରୀଡ଼ା ଓ ସାମାଜିକ କାର୍ୟ୍ୟର ମଧ୍ୟ ଆୟୋଜନ କରାଯିବ ।

ଏହି ଯୁଦ୍ଧାଭ୍ୟାସରେ ଭାରତୀୟ ନୌସେନାର ଜାହାଜ ଓ ବାୟୁଯାନ ଅଂଶଗ୍ରହଣ କରିବା ଫଳରେ ତିନି ଦେଶ ମଧ୍ୟରେ ସାମୁଦ୍ରିକ କ୍ଷେତ୍ରରେ ସହାୟତା ବୃଦ୍ଧି ପାଇବା ସହିତ ସଂପୃକ୍ତ ଅଂଚଳମାନଙ୍କରେ ସୁରକ୍ଷା ଓ ସ୍ଥାୟୀତ୍ୱ ବୃଦ୍ଧି ପାଇବ ।