ସ୍କୁଟି ସହ ୫୨ ଲିଟର ମଦ ଜବତ, ୨ ଗିରଫ

କୋରାପୁଟ,ଏନ୍ଏନ୍ଏସ୍: ଡିଏଫଏସ୍ ଟିମ୍ ଓ ସଦର ଅବକାରୀ କର୍ମଚାରୀ କୋରାପୁଟ ସଦର ଥାନା ପୋଡ଼ାଗଡ଼ ନିକଟସ୍ଥ ଲମତାପୁଟ ଏବଂ କେ.ନୂଆଗାଁରେ ଚଢ଼ଉ କରି ୨ଜଣକୁ  ଗିରଫ କରିବା ସହ ୫୨ ଲିଟର ଦେଶୀ ରନ୍ଧା ମଦ ଜବତ କରିଛି। ଅଭିଯୁକ୍ତଦ୍ୱୟ ହେଲେ ଅନୀଲ ଚୌଧୁରୀ ଓ ଘନ ପାତ୍ର। ମିଳିଥିବା ରିପୋର୍ଟ ମୁତାବକ, ଲମତାପୁଟର ଅନୀଲ ଚୌଧୁରୀ ସ୍କୁଟିରେ ଦେଶୀ ରନ୍ଧା ମଦ ନେଇ ଯାଉଥିବାବେଳେ ଡିଏପଏସ୍ ଟିମ୍  ତାଙ୍କୁ କାବୁ କରିଥିଲା। ପରେ ସ୍କୁଟିକୁ ଅଟକାଇ ଯାଞ୍ଚ କରିବା ବେଳକୁ ସେଥିରୁ ୪୦ ଲିଟର ଦେଶୀ ରନ୍ଧା ମଦ ମିଳିଥିଲା। ମଦ ଓ ସ୍କୁଟିକୁ ଜବତ କରିବା ସହ ବିଭାଗୀୟ ଟିମ୍ ଅନିଲକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସେହିପରି କେ.ନୂଆଗୁଡ଼ାରେ ଚଢ଼ଉ କରି ଘନ ପାତ୍ର ନାମକ ଜଣେ ଚୋରା ମଦ ବେପାରୀକୁ ଗିରଫ କରାଯାଇ ତାଙ୍କଠାରୁ ୧୨ ଲିଟର ଦେଶୀ ମଦ ଜବତ କରାଯାଇଛି।  ସିଆରପିସି ୪୧ ଅନୁଯାୟୀ ଘନକୁ ଜାମିନରେ ଛଡ଼ା ଯାଇଥିବା ଜଣାପଡ଼ିଛି। ଭାରପ୍ରାପ୍ତ ଡିଏଫଏସ୍ ଇନ୍ସପେକ୍ଟର ଦିଲ୍ଲୀପ କୁମାର ରଥଙ୍କ  ନେତୃତ୍ୱରେ ହୋଇଥିବା ଚଢ଼ଉରେ  ଡିଏଫଏସ୍ ସବଇନ୍ସପେକ୍ଟର ଖଗେଶ୍ୱର କୋଟ୍ଟା, ଏଏସଆଇ ଅରୋପଲକ ଦାଶ, କନେଷ୍ଟବଳ ପ୍ରଶାନ୍ତ ନାୟକ, ରାମ ଗୌଡ଼, ଭେଙ୍କେଟ୍ କୁମାର, କପିଳ ସାହୁ, ଆଲୋକ ଦାଶ ଓ ଉମୋର୍ ଫାରୁକ୍ ସାମିଲ ହୋଇଥିଲେ।