ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାର ଆୟୁଷ ଡାକ୍ତରମାନେ ତାଙ୍କ କାର୍ଯ୍ୟକୁ ସମୟରେ ସେମାନେ କେବେଳ ଆୟୁଷ ସମ୍ପର୍କୀୟ କାର୍ଯ୍ୟ କରୁଛନ୍ତି। ଏହାବ୍ୟତୀତ କୌଣସି କୋଭିଡ ସମ୍ବନ୍ଧୀୟ କାମ, ଏଲୋପେଥିକ ଓପିଡି, ଆଇପିଡି, ଆପାତକାଳୀନ କାର୍ଯ୍ୟ, ଲେବର ରୁମ ଡ୍ୟୁଟି ତଥା ଅନ୍ୟାନ୍ୟ ସେବା ପ୍ରଦାନ କରୁନାହାନ୍ତି। ଫଳରେ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଅନ୍ୟପଟେ ଆନ୍ଦୋଳନରତ ଆୟୁଷ ଡାକ୍ତରମାନେ କହିଛନ୍ତି ଯେ, ସେମାନେ ୨୦୦୭ରୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ଅସ୍ଥାୟୀ ଭାବରେ କାର୍ଯ୍ୟରତ ଅଛନ୍ତି । ସେମାନେ ରୋଗୀଙ୍କୁ ନିରନ୍ତର ଚିକିତ୍ସା ଓ ଅନ୍ୟାନ୍ୟ ସେବା ଯୋଗାଇ ନିଜର କର୍ତ୍ତବ୍ୟକୁ ସୂଚାରୁରୂପେ ପାଳନ କରି ଆସୁଛନ୍ତି। ୨୦୧୯ରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ଥିବା ସମସ୍ତ ପାରାମେଡିକାଲ କର୍ମଚାରୀଙ୍କୁ ନିୟମିତ କରାଯାଇଥିବାବେଳେ କେବଳ ଆୟୁଷ ଡାକ୍ତରଙ୍କୁ ନିୟମିତ କରାଯାଇ ନାହିଁ। ଦୀର୍ଘ ୧୪ ବର୍ଷ ହେଲାଣି ସରକାର ସେମାନଙ୍କ ପ୍ରତି ବୈମାତୃକ ମନୋଭାବ ରଖି ନିୟମିତ କରିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରୁନାହନ୍ତି। ଫଳରେ ଅନେକ ଡାକ୍ତରଙ୍କର ଅବସର ସମୟ ଆସି ସାରିଥିଲେ ସୁଦ୍ଧା ସେମାନଙ୍କୁ ଅତି କମ ପରିମାଣର ଦରମା ମିଳୁଛି । ତେଣୁ ଆୟୁଷ ଡାକ୍ତରଙ୍କର ମନୋବଳ ଭାଙ୍ଗି ପଡୁଛି। ତେଣୁ ଏନଏଚଏମ ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ ଆୟୁଷ ଡାକ୍ତରଙ୍କୁ ନିୟମିତ କରାଯାଉ ବୋଲି ସେମାନେ ଦାବି କରିଛନ୍ତି।