ସୁପ୍ରିମକୋର୍ଟଙ୍କ ରାୟ: ବ୍ରିଟେନ ସଂସଦ ସସପେଣ୍ଡ କରିବା ସମ୍ପୂର୍ଣ୍ଣ ବେଆଇନ

ଲଣ୍ଡନ,ଏଜେନ୍ସି: ମଙ୍ଗଳବାର ବ୍ରିଟେନ ସୁପ୍ରିମକୋର୍ଟ ଐତିହାସିକ ରାୟ ପ୍ରକାଶ କରି ବ୍ରେକଜିଟ ବୁଝାମଣା ଏଡ଼ାଇଯିବା ଉଦ୍ଦେଶ୍ୟରେ ସଂସଦକୁ ପାଞ୍ଚ ସପ୍ତାହ ପାଇଁ ସସପେଣ୍ଡ କରିବା ସମ୍ପର୍କିତ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଆଦେଶକୁ ସମ୍ପୂର୍ଣ୍ଣ ବେଆଇନ କହିଛନ୍ତି। ଅଗଷ୍ଟ ୨୮ରେ ପ୍ରଧାନମନ୍ତ୍ରୀ ଜନସନ ସଂସଦକୁ ୫ ସପ୍ତାହ ପାଇଁ ସସପେଣ୍ଡ ଘୋଷଣା କରିଥିଲେ। ନିଜକୁ ବିବାଦୀୟ ପରିସ୍ଥିତିରୁ ମୁକୁଳାଇବା ପାଇଁ ବ୍ରିଟେନ ରାଣୀଙ୍କ ଅଭିଭାଷଣକୁ ଦାୟୀ କରି କହିଥିଲେ ଯେ ସବୁକିଛି ରାଣୀଙ୍କ ନିର୍ଦ୍ଦେଶରେ କରାଯାଇଛି। ସୁପ୍ରିମକୋର୍ଟର ୧୧ ଜଣ ଜଷ୍ଟିସଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶରେ ମହାମାନ୍ୟ ରାଣୀ ଗ୍ରହଣ କରିଥିବା ପଦକ୍ଷେପ ସମ୍ପୂର୍ଣ୍ଣ ବେଆଇନ ବୋଲି କହିଥିଲେ।

ସୁପ୍ରିମକୋର୍ଟ ପ୍ରଧାନମନ୍ତ୍ରୀଙ୍କ ଆଦେଶକୁ ଅକାମୀ କରି ଦେଇଛନ୍ତି। ଫଳରେ ବ୍ରିଟେନ ସଂସଦ ପୂର୍ବଭଳି ସକ୍ରିୟ ରହିବ। ସୁପ୍ରିମକୋର୍ଟଙ୍କ ରାୟକୁ ସାଂସଦମାନେ ସ୍ୱାଗତ କରିଛନ୍ତି। ବ୍ରିଟେନ ରାଜରାସ୍ତାରେ ଲୋକମାନଙ୍କ କୋଳାହଳମୟ ବାତାବରଣ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ନିଷ୍ପତ୍ତିକୁ ବ୍ରିଟେନବାସୀ ନାପସନ୍ଦ କରିଥିବା ସ୍ପଷ୍ଟ ହୋଇଛି। ଜନସନଙ୍କ ସଂସଦ ସସପେଣ୍ଡ ଆଦେଶନାମାକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲେ ମହିଳା ବ୍ୟବସାୟୀ ଗୀନା ମିଲେର। ପ୍ରାୟ ତିନିଦିନ ଧରି ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିଲା।

ପ୍ରଧାନମନ୍ତ୍ରୀ ଜନସନଙ୍କ ଆଦେଶକୁ ସମ୍ପୂର୍ଣ୍ଣ ରାଜନୈତିକ ଦର୍ଶାଇ ଇଂଲିଶ ହାଇକୋର୍ଟ ରାୟ ପ୍ରକାଶ କରିଥିଲେ। ଉକ୍ତ ରାୟକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲେ ମିଲେର। ଅନ୍ୟପକ୍ଷରେ ସ୍କଟଲ୍ୟାଣ୍ଡ କୋର୍ଟ ପ୍ରଧାନମନ୍ତ୍ରୀ ଜନସନଙ୍କ ଆଦେଶକୁ ବେଆଇନ ଘୋଷଣା କରିବା ଫଳରେ ବ୍ରିଟେନ ସରକାର ଉକ୍ତ ରାୟକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲେ। ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କରିଛନ୍ତି ସ୍କଟିସ ନ୍ୟାସନାଲ ପାର୍ଟି ନେତ୍ରୀ ଜୋଆନା ଚେରୀ। ବୁଧବାର ପ୍ରଧାନମନ୍ତ୍ରୀ ଜନସନ ସଂସଦର ମୁଖ୍ୟ ଦ୍ୱାର ଖୋଲିବାକୁ ବାଧ୍ୟ ହେବେ ବୋଲି ଚେରୀ କହିଛନ୍ତି। ସ୍କଟଲ୍ୟାଣ୍ଡର ପ୍ରଥମ ମନ୍ତ୍ରୀ ନିକୋଲା ଷ୍ଟର୍ଜିୟନ ସୁପ୍ରିମକୋର୍ଟଙ୍କ ରାୟକୁ ଐତିହାସିକ କହିଛନ୍ତି। ବିରୋଧୀ ଲେବର ପାର୍ଟି ନେତା ଜେରେମୀ କର୍ବିନ ପ୍ରଧାନମନ୍ତ୍ରୀ ଜନସନଙ୍କ ଇସ୍ତଫା ଦାବି କରିଛନ୍ତି। ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସମ୍ମାନ ଦେଇ ତୁରନ୍ତ ନିର୍ବାଚିତ ସରକାର ଗଠନ କରିବା ପାଇଁ ସେ ଜନସନଙ୍କୁ ପରାମର୍ଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କରି ହାଉସ ଅଫ କମନ୍ସ ବାଚସ୍ପତି ଜନ ବର୍କାଓ କାଳବିଳମ୍ବ ନକରି ସଂସଦ ଖୋଲିବାକୁ ଯୁକ୍ତି କରିଛନ୍ତି। ପରିସ୍ଥିତିକୁ ସମ୍ଭାଳି ନେବାକୁ ଯାଇ ପ୍ରଧାନମନ୍ତ୍ରୀ ଜନସନ ଦଳୀୟନେତାଙ୍କ ସହ ଆଲୋଚନା ଜାରି ରଖିଛନ୍ତି।