୧୧ଗ୍ରାମ ବ୍ରାଉନସୁଗର ଜବତ : ଜଣେ ଗିରଫ

ଖୋର୍ଦ୍ଧା, ଏନ୍ଏନ୍ଏସ୍: ବ୍ରାଉନସୁଗର ବେପାର କରୁଥିବା ଅଭିଯୋଗରେ ଅବକାରୀ ବିଭାଗ ଆଜି ସଦରଥାନା ଅନ୍ତର୍ଗତ ଦେଉଳଟାଙ୍ଗି ଗ୍ରାମର ଏମ.ଡ଼ି. ସେଖାୱାତ(୪୦)କୁ ଗିରଫ କରିଛି। ତାଠାରୁ ୧୧ ଗ୍ରାମ ବ୍ରାଉନସୁଗର ଓ ନଗଦ ୧୦ହଜାର ଶହେ ଟଙ୍କା କୁ ଅବକାରୀ ପୁଲିସ ଜବତ କରିଛି । ତେବେ ଜବତ ବ୍ରାଉନସୁଗରର ମୂଲ୍ୟ ୧ଲକ୍ଷ ୧୦ହଜାର ହେବ ବୋଲି ଆକଳନ ହୋଇଥିବା ଜଣାଯାଇଛି ।
ସୂଚନା ଅନୁଯାୟୀ, ବ୍ରାଉନ ସୁଗାର କାରବାରରେ ମୁଖ୍ୟ ଅଭିଯୁକ୍ତ ଛୋଟା ଓରଫ ଶୁଭ୍ରାଁଶୁ ପରିଡା କୋର୍ଟରେ ଆତ୍ମସମର୍ପଣ କରି ଜେଲକୁ ଯିବା ପରେ ତଥାପି ବନ୍ଦ ହୋଇନି ବ୍ରାଉନସୁଗର କାରବାର । ପୁଲିସ ଓ ଅବକାରୀ ବିଭାଗ ଚଢ଼ାଉ ଫଳରେ ସହରାଂଚଳରେ ବ୍ରାଉନସୁଗର ବିକ୍ରୀ କରିବା ନେଇ ଏଜେଂଟମାନଙ୍କୁ ଅସୁବିଧା ହେଉଥିବାରୁ ଏଜେଂଟମାନେ ଏବେ ଗ୍ରାମାଂଚଳ ମୁଁହା ହେଲେଣି । ବ୍ରାଉନସୁଗର ଅଭାବ ଯୋଗୁଁ ଗୋଟିଏ ପ୍ୟାକେଟ ୩୦୦ଟଙ୍କାରେ ମିଳୁଥିବାବେଳେ ତାହା ଏବେ ୫୦୦ରୁ ୬୦୦ ଟଙ୍କାରେ ବିକ୍ରି ହେଉଥିବା ଜଣାଯାଇଛି । ଏପରିକି ନାଲି କାଗଜ ପୁଡ଼ିଆ ପରିବର୍ତେ ନୀଳ କାଗଜ ପୁଡ଼ିଆରେ ମିଳୁଛି ବ୍ରାଉନସୁଗର । ତେବେ ଦେଉଳଟାଙ୍ଗି ଗ୍ରାମରେ ସେଖାୱାତ ବ୍ରାଉନସୁଗର ବେପାର କରୁଥିବା ନେଇ ଅବକାରୀ ବିଭାଗ ବିଶ୍ୱଷ ସୂତ୍ରରୁ ଖବର ପାଇଥିଲା । ଅବକାରୀ ଇନସପେକ୍ଟର ରଂଜନ କୁମାର ନାୟକଙ୍କ ନେତୃତ୍ୱରେ ଗୋଟିଏ ଟିମ ଦିନ ପ୍ରାୟ ସାଢ଼େ ୧୦ଟାବେଳେ ସେଠାରେ ଚଢ଼ାଉ କରି ଶେଖାୱାତକୁ ଗିରଫ କରିଥିଲେ । ତା’ଠାରୁ ୧୧ ଗ୍ରାମର ବ୍ରାଉନସୁଗର ସମେତ ନଗଦ ୧୦ହଜାର ଶହେ ଟଙ୍କା ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୧ଲକ୍ଷ ୧୦ହଜାର ଟଙ୍କା ହେବ ବୋଲି ଅବକାରୀ ଇନସପେକ୍ଟର ଶ୍ରୀ ନାୟକ ସୂଚନା ଦେଇଛନ୍ତି । ଅଭିଯୁକ୍ତ ସେଖାୱାତକୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି।