ମେସି ‘ଫିଫା ପ୍ଲେୟର ଅଫ ଦି ଇୟର’

ରାପିନୋଏ ଶ୍ରେଷ୍ଠ ମହିଳା ଖେଳାଳି ଓ ଜର୍ଗନ ଶ୍ରେଷ୍ଠ କୋଚ

ମିଲନ୍, ଏଜେନ୍ସି: ଆର୍ଜେଣ୍ଟିନା ଅଧିନାୟକ ଲିଓନେଲ ମେସି ୨୦୧୮-୧୯ ବର୍ଷ ପାଇଁ ଫିଫା (ଇଣ୍ଟରନ୍ୟାସନାଲ ଫେଡେରେସନ ଅଫ ଆସୋସିଏସନ ଫୁଟବଲ ) ଫ୍ଲେୟର ଅଫ ଦି ଇୟର ବିବେଚିତ ହୋଇଛନ୍ତି। ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଓ ନେଦରଲାଣ୍ଡସର ଭିର୍ଜଲ ଭାନ ଡିକ ଏହି ଦୌଡରେ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିଲେ। ଆମେରିକାର ମେଗାନ ରାପିନୋଏ ଫିଫା ଓମେନ୍ସ ପ୍ଲେୟର ଅଫ ଦି ଇୟର ଘୋଷିତ ହାଇଥିବା ବେଳେ ଲିଭରୁପୁଲ ଫୁଟବଲ କ୍ଲବ ମ୍ୟାନେଜର ଜର୍ଗନ କ୍ଲବ ବେଷ୍ଟ କୋଚ ଭାବେ ପୁରସ୍କୃତ ହୋଇଛନ୍ତି। ୧୮ ବର୍ଷୀୟ ଡାନିଏଲ ଜୋରୀ ମେସି, ରେନାଲ୍ଡୋ, ଭର୍ଜିଏ ପ୍ରମୁଖ ଖେଳାଳିଙ୍କୁ ପଛରେ ପକାଇ ଗତ ଫେବୃଆରୀରେ କରିଥିବା ଏକ ଓଭରହେଡ ଗୋଲ ସ୍କୋର ପାଇଁ ପୁସ୍କାସ ଆୱାର୍ଡ ଜିତିଛନ୍ତି। ଏହି ପୁରସ୍କାର ପ୍ରଦାନ ସମାରୋହରେ ୨୦୧୬-୧୭ ଓ ୨୦୧୭-୧୮ ବର୍ଷର ପୁରସ୍କାର ବିଜତୋ ରୋନାଲ୍ଡୋ ଯୋଗ ଦେଇନଥିଲେ।

ବାର୍ସେଲୋନା ଅଧିନାୟକ ଲିଓନେଲ ମେସି ୨୦୧୬ ପରେ ପ୍ରଥମଥର ପାଇଁ ଫିଫା ପକ୍ଷରୁ କୌଣସି ପୁରସ୍କାର ଜିତିଛନ୍ତି। ଅନ୍ତିମଥର ପାଇଁ ସେ ୨୦୧୬ରେ ବାଲନ୍ ଡି ଓର ପୁରସ୍କାର ହାସଲ କରିଥିଲେ। ଏହାପରେ ଆୱାର୍ଡରେ ତାଙ୍କ ଚିର ପ୍ରତିଦ୍ୱନ୍ଦୀ ଭାବେ ପରଚିତ ରିୟଲ ମାଡ୍ରିଡର ପୂର୍ବତନ ଷ୍ଟ୍ରାଇକର ରୋନାଲ୍ଡୋ ୨୦୧୬-୧୭ ଓ ୨୦୧୭-୧୮ ବର୍ଷ ପାଇଁ ଫିଫା ପ୍ଲେୟର ଅଫ ଦି ଇୟର ଆୱାର୍ଡ ଜିତିଥିଲେ। ମେସି ୧୮-୧୯ ବର୍ଷ ପାଇଁ ଏହି ସମ୍ମାନ ହାସଲ କରି କ୍ୟାରିୟରରେ ଷଷ୍ଠଥର ପାଇଁ ଫିଫା ପ୍ଲେୟର ଅଫ ଦି ଇୟର ହୋଇଛନ୍ତି। ୨୦୧୮-୧୯ ବର୍ଷରେ ବାର୍ସେଲୋନାକୁ ଲା ଲିଗା ଚାମ୍ପିଅନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମେସି ୩୪ଟି ମ୍ୟାଚରୁ ୩୬ଟି ଗୋଲ ସ୍କୋର କରିଛନ୍ତି। ଚାମ୍ପିଅନ୍ସ ଲିଗର ସେମି ଫାଇନାଲରେ ଲିଭରପୁଲଠାରୁ ବାର୍ସେଲୋନା ପରାସ୍ତ ହେବା ଦ୍ୱାରା ମେସି ଆଉ ଏକ ୟୁରୋପିଆନ ଆୱାର୍ଡ ଜିତିବାରୁ ବଞ୍ôଚତ ହୋଇଥିଲେ। ଲିଭରପୁଲର ଭର୍ଜିଲ ଭାନ ଡିକ ଏହି ମ୍ୟାଚରେ ଏବଂ ଫାଇନାଲରେ ଚମତ୍କାର ପ୍ରଦର୍ଶନ କରି ୟୁଏଫା ପ୍ଲେୟର ଅଫ ଦି ଇୟର ହାସଲ କରିଥିଲେ। ତେବେ ମେସି ଚଳିତ ବର୍ଷ ବେଷ୍ଟ ଫ୍ଲେୟର ଘୋଷିତ ହେବା ଦ୍ୱାରା ବାଲନ ଡି ଓର ପୁରସ୍କାର ପାଇଁ ତାଙ୍କ ନାମ ଚର୍ଚ୍ଚାରେ ରହିଛି। ବର୍ତ୍ତମାନ ସୁଦ୍ଧା ୫ଟି ବାଲନ ଡି ଓର ପୁରସ୍କାର ଜିତିଥିବା ମେସି ଏବେ ଷଷ୍ଠ ପୁରସ୍କାର ବାଲନ ଡି ଓର ପୁରସ୍କାର ଦୌଡରେ ରହିଛନ୍ତି।

ଚଳିତ ବର୍ଷ ଆମେରିକାକୁ ଫିଫା ଓମେନ୍ସ ୱାର୍ଲ୍ଡକପ ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବରିଷ୍ଠ ଖେଳାଳି ମେଗାନ ରାପିନୋଏ ବିଶ୍ୱକପରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଓମେନ୍ସ ପ୍ଲେୟର ଅଫ ଦି ଇୟର ଆୱାର୍ଡ ଜିତିଛନ୍ତି। ୩୪ ବର୍ଷୀୟା ଏହି ଖେଳାଳି ବିଶ୍ୱକପରେ ୬ଟି ଗୋଲ ସ୍କୋର କରି ଗୋଲ୍ଡେନ ବୁଟ ଓ ଗୋଲ୍ଡେନ ବଲ ଜିତିଥିଲେ। ତାଙ୍କ ପଛକୁ ତାଙ୍କ ସାଥି ଖେଳାଳି ତଥା ଆମେରିକା ଅଧିନାୟିକା ଆଲେକ୍ନସ ମୋର୍ଗାନ ରହିଥିଲେ। ମହିଳା ବର୍ଗରେ ବେଷ୍ଟ କୋଚ ଭାବେ ଆମେରିକା କୋଚ ରହିଥିବା ଜିଲ ଏଲିସ ପୁରସ୍କାର ଜିତିଛନ୍ତି। ତାଙ୍କ ତତ୍ତ୍ୱବାଧାନରେ ଆମେରିକା ଲଗାତାର ଦୁଇଥର ୱାର୍ଲ୍ଡକପ ଜିତିଛି।
ପୁରୁଷ ଦଳ ବେଷ୍ଟ ମ୍ୟାନେଜର (କୋଚ) ଭାବେ ଲିଭରପୁଲର ଜର୍ଗନ କ୍ଲପ ମାଞ୍ଚେଷ୍ଟର ସିଟିର ପେପ ଗୁଆର୍ଡିଲୋ ଓ ଟୋଟେନହାମର ମୌରିସିଓ ପୋଚେଟିନୋଙ୍କୁ ପଛରେ ପକାଇ ଏହି ସମ୍ମାନ ହାସଲ କରିଛନ୍ତି।

ଲିଭରପୁଲ ଚାମ୍ପିଅନ୍ସ ଲିଗ ଚାମ୍ପିଅନ ହେବା ଦ୍ୱାରା କ୍ଲପଙ୍କୁ ଏହି ଆୱାର୍ଡ ପ୍ରଦାନ କରାଯାଇଛି।
ଆୱାର୍ଡି ତାଲିକା:
ବେଷ୍ଟ ମେନ୍ସ ପ୍ଲେୟର: ଲିଓନେଲ ମେସି (ଆର୍ଜେଣ୍ଟିନା/ବାର୍ସେଲୋନା)
ବେଷ୍ଟ ଓମେନ୍ସ ପ୍ଲେୟର: ମେଗାନ ରାପିନୋଏ (ୟୁଏସଏ/ରେନ ଏଫସି)
ବେଷ୍ଟ ମେନ୍ସ ଗୋଲକିପର: ଆଲିଶନ ବେକର (ବ୍ରାଜିଲ/ଲିଭରପୁଲ)
ବେଷ୍ଟ ଓମେନ୍ସ ଗୋଲକିପର: ସାରି ଭାନ ଭିନାଣ୍ଡଲ (ନେଦରଲାଣ୍ଡସ/ଆଟଲେଟିକୋ ମାଡ୍ରିଡ)
ମେନ୍ସ କୋଚ: ଜର୍ଗନ କ୍ଲପ (ଲିଭରପୁଲ)
ଓମେନ୍ସ କୋଚ: ଜିଲ ଏଲିସ (ୟୁଏସଏ)
ପୁସ୍କାସ ଆୱାର୍ଡ ବେଷ୍ଟ ଗୋଲ: ଡାନିଏଲ ଜୋରୀ (ହଙ୍ଗେରୀ/ଡେବ୍ରେସେନ)।