ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ତଥା ମରୁଡିଜନିତ କ୍ଷତିପୂରଣ ପ୍ରଦାନ ପରି ୬ ଦଫା ଦାବି ନେଇ ଆଜି ବିଜେପି ପକ୍ଷରୁ ଲଇକେରା ତହସିଲ ଅଫିସ ଘେରାଉ କରାଯାଇଛି। ଲଇକେରା ତହସିଲଦାରଙ୍କ ଜରିଆରେ ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏଥିରେ କିର୍ମିରା ତହସିଲ ଅଂଚଳରେ ବସବାସ କରୁଥିବା ଲୋକେ ଚାଷ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା ଉଲ୍ଲେଖ କରାଯାଇଛି। ହେଲେ ଚଳିତବର୍ଷ ବର୍ଷା ଅଭାବ ତଥା ସରକାରୀ କଳର ଅଚଳାବସ୍ଥା ଯୋଗୁ କିର୍ମିରା ବ୍ଲକରେ ମରୁଡ଼ିର ପରିସ୍ଥିତି ଦେଖାଦେଇଛି। ଫଳରେ ଚାଷୀଙ୍କୁ ନାନାଦି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ତେଣୁ ଚାଷୀଙ୍କୁ ସାହାଯ୍ୟ କରିବା ପାଇଁ କିର୍ମିରା ବ୍ଲକକୁ ମରୁଡ଼ି ଘୋଷଣା କରି ସହାୟତା ପ୍ରଦାନ କରାଯିବା ସହ ଚାଷୀଙ୍କ ଋଣ ସମ୍ପୂର୍ଣ୍ଣ ଭାବରେ ଛାଡ଼, ଚାଷର କ୍ଷୟକ୍ଷତି ଆକାଳନ କରି ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ, ଅଚଳ ଅବସ୍ଥାରେ ଥିବା ମେଗା ପ୍ରୋଜେକ୍ଟ ଏବଂ ଉଠା ଜଳସେଚନ ପ୍ରକଳ୍ପର ମରାମତି କରାଯାଇ କାର୍ଯ୍ୟକ୍ଷମ, ଚାଷୀଙ୍କ ଜମିରେ ଜଳସେଚନର ବ୍ୟବସ୍ଥା, ଚାଷୀଙ୍କୁ ଚାଷ ପାଇଁ ଉପଯୁକ୍ତ ଯନ୍ତ୍ରପାତି, ସାର ବିହନ ଯୋଗାଇ ଦିଆଯାଉ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି। ଏହି ସମୟରେ ପ୍ରେମସନ ରାୟ, ବାଞ୍ଛ।।ନିଧୀ ସାହୁ, ପଙ୍କଜ ବେହାରା, ମଧୁ ରଣା, ଦୀପକ ପଣ୍ଡା, ନିଶିକାନ୍ତ ପଟେଲ, ସମୀର ଦେଓ ପ୍ରମୁଖଙ୍କ ସହ ବିଜେପି କର୍ମୀ ଓ ଚାଷୀମାନେ ଉପସ୍ଥିତ ଥିଲେ।