ସର୍ବୋଚ୍ଚ ନେତା ହୈବତୁଲ୍ଲା ଅଖୁନ୍ଦଜାଦା ଆଫଗାନିସ୍ତାନ ସରକାରର ମୁଖ୍ୟ ହେବ: ସୁନିଶ୍ଚିତ କଲା ତାଲିବାନ୍‌

କାବୁଲ,ଏଜେନ୍ସି: ସର୍ବୋଚ୍ଚ ନେତା ହୈବତୁଲ୍ଲା ଅଖୁନ୍ଦଜାଦା ନୂତନ ଆଫଗାନିସ୍ତାନ ସରକାରର ମୁଖ୍ୟ ହେବେ ବୋଲି ବୁଧବାର ଦିନ ତାଲିବାନ୍ ସୂଚନା ଦେଇଛି।ଆଫଗାନିସ୍ତାନର ପରବର୍ତ୍ତୀ ସରକାରରେ ପ୍ରଧାନମନ୍ତ୍ରୀ ପଦ ରହିବ ବୋଲି ମଧ୍ୟ ସୂଚନା ମିଳୁଥିବା କଥା ‘ଟୋଲୋ ନିଉଜ୍‌’ ରିପୋର୍ଟ କରିଛି।

‘ତାଲିବାନ୍‌ କଲଚୁରାଲ୍‌ କମିସନ୍‌’ର ଅନ୍ୟତମ ସଦସ୍ୟ ଅନାମୁଲ୍ଲା ସମନଗନି ସୂଚନା ଦେଇଛନ୍ତି, ତାଲିବାନ୍‌ ନେତା ମୁଲ୍ଲା ହୈବତୁଲ୍ଲା ଅଖୁନ୍ଦଜାଦା ନୂତନ ସରକାରର ମୁଖ୍ୟ ହେବେ। ସେ ଆହୁରି ମଧ୍ୟ କହିଛନ୍ତି, ଘୋଷଣା କରାଯିବାକୁ ଥିବା ଇସଲାମୀୟ ସରକାର ହେବ ଜନତାଙ୍କ ପାଇଁ ଗୋଟାଏ ଆଦର୍ଶ ସରକାର। ଉକ୍ତ ସରକାରରେ ‘ବିଶ୍ବସ୍ତ କମାଣ୍ଡର୍‌’ଙ୍କ (ଅଖୁନ୍ଦଜାଦା) ଉପସ୍ଥିତି ସମ୍ବନ୍ଧରେ ସନ୍ଦେହ ନାହିଁ। ସେ ହେବେ ସରକାରର ନେତା। ସମ୍ବାଦ ସରବରାହ ସଂସ୍ଥାନ ‘ସ୍ପୁଟନିକ’ ରିପୋର୍ଟ କରିଛି ଯେ, ସେପ୍ଟେମ୍ବର ୩ ତାରିଖ ଦିନ ତାଲିବାନ୍ ଆଫଗାନିସ୍ତାନରେ ନୂତନ ସରକାର ଘୋଷଣା କରିବ।