- ଟୋକିଓ: ଭାରତ ପାଇଁ ଗର୍ବ ଓ ଗୌରବ ଆଣିଲା ପାରାଅଲିମ୍ପିକ୍ସ। ଗୋଟିଏ ଦିନରେ ୫ଟି ପଦକ ହାସଲ କରିଥିବାବେଳେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଭାରତୀୟ ଖେଳାଳି। ସୁଟିଂରେ ସୁନା ଜିତିଛନ୍ତି ଅବନୀ ଲେଖାରା। ସେହିଭଳି ଜାଭେଲିନ୍ ଥ୍ରୋ’ରେ ସୁମିତ ଅନ୍ତିଲ ମଧ୍ୟ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଆଜିସୁଦ୍ଧା ଭାରତ ୭ଟି ପଦକ ହାସଲ କରିବା ସହ ପଦକ ତାଲିକାରେ ୨୫ ନମ୍ବର ସ୍ଥାନରେ ରହିଛି।
ଶୁଭ ସୋମବାର। ସୁବର୍ଣ୍ଣ ସୋମବାର। ପାରାଲିମ୍ପିକ୍ସରେ ଭାରତକୁ ଡବଲ ଗୋଲ୍ଡ। ଗୋଟିଏ ଦିନରେ ପାଞ୍ଚଟି ପଦକ ଜିତିଲେ ଭାରତୀୟ ଖେଳାଳି। ଟୋକିଓ ପାରା ଅଲିମ୍ପିକ୍ସରେ ଦେଶ ପାଇଁ ପଦକ ବର୍ଷା। ସୁଟିଂରେ ସୁନା ଜିତିଲେ ସୁନା ଝିଅ ଅବନୀ ଲେଖାରା। ମହିଳା ୧୦ମିଟର ଏୟାର ପିସ୍ତଲ ଫାଇନାଲରେ ଭାରତ ପାଇଁ ଆଣିଲେ ଗର୍ବ ଓ ଗୌରବ। ୧୯ ବର୍ଷୀୟ ଅବନୀ ୨୪୯.୬ ସ୍କୋର କରି ପ୍ରଥମ ସ୍ଥାନ ଅକ୍ତିଆର କରିବା ସହ ଗୋଲ୍ଡ ମେଡାଲ ଜିତିଛନ୍ତି। ପାରା ଅଲିମ୍ପିକ୍ସ ଇତିହାସରେ ସୁଟିଂରେ ଭାରତକୁ ଏପରି ସ୍ୱର୍ଣ୍ଣ ପଦକ ମିଳିବା ପ୍ରଥମ। ଜାଭେଲିନ୍ ଥ୍ରୋରେ ସୁମିତ ଅନ୍ତିଲ ମଧ୍ୟ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଫାଇନାଲରେ ୬୮.୫୫ ମିଟର ବେଷ୍ଟ ଥ୍ରୋ କରି ସ୍ୱର୍ଣ୍ଣିମ ଇତିହାସ ଲେଖିଛନ୍ତି ସୁମିତ। ୬ ବର୍ଷ ତଳେ ଏକ ଦୁର୍ଘଟଣାରେ ସୁମିତ ନିଜର ଏକ ଗୋଡ଼ ହରାଇଥିଲେ। ଏହାପରେ ବି ସେ କେବେ ହାର ମାନିନାହାନ୍ତି। ଆଜି ସେ ସ୍ୱର୍ଣ୍ଣ ପଦକ ଜିତି ନିଜର ସ୍ୱପ୍ନ ପୂରଣ କରିଛନ୍ତି। ସକାଳୁ ସକାଳୁ ୨ଟି ପଦକ ମିଳିବା ପରେ ଜାଭେଲିନରେ କମାଲ କରିଛନ୍ତି ଭାରତୀୟ ଖେଳାଳି। ଆଥଲେଟ୍ ଦେବେନ୍ଦ୍ର ଝାଝରିୟା ଜାଭେଲିନରେ ରୌପ୍ୟ ପଦକ ଜିତିଥିବାବେଳେ ସୁନ୍ଦର ସିଂହ ଗୁର୍ଜାର ବ୍ରୋଞ୍ଜ ପଦକ ଜିତିଛନ୍ତି। ସେହିଭଳି ପୁରୁଷ ଡିସକସ ଥ୍ରୋରେ ଯୋଗେଶ କଥୁନିଆ ରୌପ୍ୟ ପଦକ ହାସଲ କରିଛନ୍ତି।
ଅନ୍ୟପଟେ ଭାରତୀୟ ଡିସକସ୍ ଥ୍ରୋରେ ବିନୋଦ କୁମାରଙ୍କଠାରୁ ଖସିଯାଇଛି ବ୍ରୋଞ୍ଜ ପଦକ। ଗତକାଲି ତାଙ୍କୁ ବ୍ରୋଞ୍ଜ ପଦକ ମିଳିଥିଲା। ହେଲେ ବିରୋଧ ପରେ ଏହାକୁ ସ୍ଥଗିତ ରଖାଯାଇଥିଲା । ଏବେ ନିଷ୍ପତ୍ତି, ବିନୋଦଙ୍କ ବିରୋଧରେ ଯାଇଛି। ପାରା ଅଲିମ୍ପିକ୍ସର ବୈଷୟିକ ପ୍ରତିନିଧି ସ୍ଥିର କରିଛନ୍ତି ଯେ, ବିନୋଦ କୁମାର ଡିସକସ୍ ଥ୍ରୋ ଏଫ ୫୨ କ୍ଲାସ୍ ପାଇଁ ଯୋଗ୍ୟ ଶ୍ରେଣୀରେ ଆସୁନାହାନ୍ତି। ଏଥିସହିତ ଟୋକିଓ ପାରାଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ଭାରତ ୨ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରିଛି। ଭାରତୀୟ ଖେଳାଳିଙ୍କ ସଫଳତା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମେତ ସାରା ଦେଶ ଶୁଭେଚ୍ଛା ଜଣାଇଛନ୍ତି।