- ନୂଆଦିଲ୍ଲୀ: ଦେଶରେ କରୋନାର ନୂଆ ମାମଲା କମିଥିବାବେଳେ ଚିନ୍ତା ବଢ଼ାଇଲା କେରଳ। ବିଗତ ୨୪ ଘଣ୍ଟାରେ ଚିହ୍ନଟ ସଂକ୍ରମିତ ମାମଲା ମଧ୍ୟରୁ ୫୮.୪ ପ୍ରତିଶତ ମାମଲା କେବଳ କେରଳରୁ ଆସିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ, ଦେଶରେ କେରଳ ହେଉଛି ଏକମାତ୍ର ରାଜ୍ୟ ଯେଉଁଠି ଏକ ଲକ୍ଷରୁ ଅଧିକ ସକ୍ରିୟ ସଂକ୍ରମିତ ରହିଛନ୍ତି। ଯେତେବେଳେ କି ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡ଼ୁ ଓ ଆନ୍ଧ୍ରପ୍ରଦେଶରେ ସକ୍ରିୟ ମାମଲା ୧୦ ହଜାରରୁ ଏକ ଲକ୍ଷ ମଧ୍ୟରେ ରହିଛି। ଦେଶର ୪୧ଟି ଜିଲ୍ଲାରେ ସାପ୍ତାହିକ ସଂକ୍ରମଣ ମାମଲା ୧୦ ପ୍ରତିଶତରୁ ଅଧିକ ରହିଛି। ଦେଶରେ କୋଭିଡ୍ ଦ୍ୱିତୀୟ ଲହର ଏବେ ବି ଜାରି ରହିଥିବା ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି। ଦ୍ୱିତୀୟ ପ୍ରବାହ ନ ସରିବା ଯାଏଁ ସତର୍କ ରହିବା ସହ ନିୟମ ପାଳନ ପାଇଁ ସେ କହିଛନ୍ତି। ବିଶେଷ କରି ପ୍ରତିଟି ପର୍ବ ପରେ ସଂକ୍ରମଣ ମାମଲା ବଢ଼ୁଛି।
ସେ ଆହୁରି କହିଛନ୍ତି, ‘ସେପ୍େଟମ୍ବର ଓ ଅକ୍ଟୋବର ମାସ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହି ସମୟରେ ଦେଶରେ ପାର୍ବଣ ଋତୁ ଚାଲିଥାଏ। ଏଥିପାଇଁ କୋଭିଡ୍ ନିୟମ ମାନି ପାର୍ବଣ ପାଳନ କରିବା ଉଚିତ। ଟିକାକରଣ ପରେ ମଧ୍ୟ ମାସ୍କ, ସାମାଜିକ ଦୂରତା ରକ୍ଷା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।’