- ନୂଆଦିଲ୍ଲୀ: କରୋନାର ପ୍ରଥମ ଏବଂ ଦ୍ୱିତୀୟ ଲହରକୁ ନିୟନ୍ତ୍ରଣ କରିବାରେ କେରଳ ସରକାରଙ୍କ ମଡେଲକୁ ଅନେକ ପ୍ରଶଂସା ମିଳିଥିଲା। ଏବେ କିନ୍ତୁ ସମ୍ଭାବ୍ୟ ତୃତୀୟ ଲହର କବାଟ ବାଡେଇବା ଆରମ୍ଭ କରିଛି। ଗତ ଦୁଇଦିନରେ କେରଳରୁ ପାଖାପାଖି ୮୦ ହଜାର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେଣୁ ତୃତୀୟ ଲହର କେରଳରୁ ଆରମ୍ଭ ହୋଇଛି ବୋଲି ଆଶଙ୍କା କରାଯାଉଛି।
- କେରଳରେ ବୁଧବାର ୩୫ ହଜାରରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗୁରୁବାର ଏହି ସଂଖ୍ୟା ୪୬ ହଜାରରୁ ଅଧିକ ରହିଛି। ଏବେ ଦେଶରେ ମୋଟ୍ ସଂକ୍ରମିତଙ୍କ ମଧ୍ୟରୁ କେବଳ କେରଳରୁ ୫୮ ପ୍ରତିଶତରୁ ଅଧିକ ରହିଥିବା ଜଣାପଡ଼ିଛି। ବାକି ରାଜ୍ୟରେ କିନ୍ତୁ କରୋନା ସଂକ୍ରମଣ ହ୍ରାସ ପାଉଛି। ତେଣୁ କେଉଁ କାରଣ ପାଇଁ କେରଳରେ ସଂକ୍ରମଣ ହଠାତ୍ ବଢ଼ିଲା ସେନେଇ ଏବେ ପ୍ରଶ୍ନ ଉଠିଛି। କ’ଣ ହୋଇପାରେ କରୋନା ସଂକ୍ରମଣ ବୃଦ୍ଧି ପଛର କାରଣ? କରୋନାକୁ ମାତ୍ ଦେବା ପାଇଁ ମାସ୍କ ଏବଂ ସାମାଜିକ ଦୂରତା ପ୍ରାଥମିକ ପଦକ୍ଷେପ ବୋଲି ସରକାର କହିଛନ୍ତି। ହେଲେ କେରଳରେ ଏହି ସବୁ ନିୟମକୁ ଲୋକମାନେ ମାନିନଥିବା ଏବଂ ସରକାର ଠିକ୍ ଭାବରେ ପରିଚାଳନା କରିନାହାନ୍ତି ବୋଲି କୁହାଯାଉଛି। ନିକଟରେ କେରଳରେ ଓନମ ପର୍ବ ହୋଇଥିଲା। ଏହି ସମୟରେ କୋଭିଡ ନିୟମର ଧଜିଆ ଉଡିଥିଲା ବୋଲି କୁହାଯାଉଛି। ତେବେ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏସମ୍ପର୍କରେ କହିଛନ୍ତି ଯେ, କେବଳ କେରଳରେ ସଂକ୍ରମଣ କାହିଁକି ବଢ଼ିଲା ତାହା ଏବେ ନିଶ୍ଚିତ ଭାବେ ଚିନ୍ତାଜନକ। ତେବେ କେଉଁ କାରଣ ପାଇଁ ସଂକ୍ରମଣ ବୃଦ୍ଧିପାଇଛି ତାର ସବିଶେଷ କାରଣ ଜଣାପଡ଼ିନାହିଁ। କରୋନାର ତୃତୀୟ ଲହର ଆଗକୁ ଆସିବ ବୋଲି କୁହାଯାଉଥିବାବେଳେ କେରଳରେ ବଢ଼ୁଥିବା ସଂକ୍ରମଣ ଚିନ୍ତାର କାରଣ ପାଲଟିଛି।