କାବୁଲରେ ପହଞ୍ଚିଲେ ତାଲିବାନର ସହ ସମ୍ପାଦକ; ନୂଆ ସରକାର ଗଢ଼ିବା ନେଇ ହେଉଛି ଚର୍ଚ୍ଚା

କାବୁଲ,ଏଜେନ୍ସି: ଆଫଗାନରେ ତାଲିବାନ ନୂଆ ସରକାର ଗଠନ ନେଇ ଆଲୋଚନା କରୁଥିବା ବେଳେ ଏହି ଆଲୋଚନାରେ ସାମିଲ ହୋଇଛନ୍ତି ତାଲିବାନର ସହ ସମ୍ପାଦକ ମୁଲ୍ଲା ଅବଦୁଲା ଗନି ବରାଦର। ସରକାର ଗଠନ ପାଇଁ ସେ ଜିହାଦି ନେତା ଓ ରାଜନେତାଙ୍କୁ ଭେଟିବେ ବୋଲି ତାଲିବାନ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ୨୦୧୦ ମସିହାରେ ପାକିସ୍ତାନର କରାଚିରୁ ବରାଦରକୁ ଗିରଫ କରାଯାଇଥିଲା। ସଂଯୁକ୍ତ ରାଷ୍ଟ୍ର ଆମେରିକା ୨୦୧୮ରେ ଚାପ ପ୍ରୟୋଗ କରିବାରୁ ତାକୁ ଛାଡ଼ି ଦିଆଯାଇଥିଲା। ପରେ ତାକୁ କତର ସ୍ଥାନାନ୍ତର କରିଦିଆଯାଇଥିଲା। ଏହା ପରେ ବରାଦରକୁ ଦୋହାରେ ତାଲିବାନର ରାଜନୈତିକ କାର୍ଯ୍ୟାଳୟର ପ୍ରମୁଖ ନିଯୁକ୍ତ କରାଗଲା। ଯେଉଁଠାରେ ଆମେରିକା ସହିତ ବିଦେଶୀ ସେନା ଫେରାଇନେବାକୁ ଚୁକ୍ତି ସ୍ୱାକ୍ଷର ହୋଇଥିଲା।

ତାଲିବାନ ଆତଙ୍କବାଦୀଙ୍କ ଭୟରେ ଆଫଗାନିସ୍ତାନ ରାଷ୍ଟ୍ରପତି ଅସ୍ରଫ ଘନି ଇତିମଧ୍ୟରେ ଦେଶ ଛାଡି ଓମାନରେ ଆଶ୍ରୟ ନେଇଛନ୍ତି। ଏଥିପାଇଁ ଦେଶବିଦେଶରେ ତାଙ୍କୁ ତୀବ୍ର ସମାଲୋଚନାର ଶରବ୍ୟ ହେବାକୁ ପଡୁଛି। ତେବେ ତାଙ୍କ ଭାଇ ହସ୍ମତ ଘନି ଅହମ୍ମଦଜାଇ ତାଲିବାନ ସଂଗଠନକୁ ଦୃଢ ସମର୍ଥନ ଜଣାଉଥିବା ଲକ୍ଷ୍ୟ କରାଯାଇଛି। ହସ୍ମତ୍ ବର୍ତ୍ତମାନ ଗ୍ରାଣ୍ଡ କାଉନସିଲ ଅଫ୍ କୁଚିସର ମୁଖ୍ୟଭାବେ କାର୍ଯ୍ୟ କରୁଛନ୍ତି। ଶୁକ୍ରବାର ତାଲିବାନ ନେତା ଖଲିଲ-ଉର-ରେହମାନ ଓ ମୁଫ୍ତି ମେହମୁଦ ଜାକିରଙ୍କ ଉପସ୍ଥିତିରେ ହସ୍ମତ୍ ତାଲିବାନ ପ୍ରତି ଆନୁଗତ୍ୟ ରଖିଥିବା ସମ୍ପର୍କରେ ଘୋଷଣା କରିଥିବା ଜଣାପଡିଛି। ତାଲିବାନ ନେତାଙ୍କ ସହ ହସ୍ମତଙ୍କ ବୈଠକର ଭିଡିଓ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଗତ ରବିବାର ତାଲିବାନ ଆତଙ୍କବାଦୀ ରାଜଧାନୀ କାବୁଲ ଅକ୍ତିଆର କରିବା ପୂର୍ବରୁ ରାଷ୍ଟ୍ରପତି ଘନି ବିପୁଳ ଧନସମ୍ପତ୍ତି ସହ ଓମାନ ପଳାଇ ଯାଇଛନ୍ତି। ସଙ୍କଟ ସମୟରେ ଦେଶବାସୀଙ୍କୁ ବିପଦରେ ପକାଇ ତାଙ୍କର ପଳାୟନକୁ ଆମେରିକା ସମେତ ବିଶ୍ୱର ଅନେକ ରାଷ୍ଟ୍ରନେତା ନିନ୍ଦା କରିଥିବାବେଳେ ଆଫଗାନବାସୀ ମଧ୍ୟ ଏକଥାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ଅପରପକ୍ଷରେ ଘନି ସଫେଇ ଦେବାକୁ ଯାଇ କହିଛନ୍ତି ଯେ ଆଫଗାନିସ୍ତାନରେ ଅଧିକ ରକ୍ତପାତ ଚାହୁଁନଥିବାରୁ ସେ ବିଦେଶ ପଳାଇ ଆସିବାକୁ ଉଚିତ ମଣିଛନ୍ତି।