ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ୍ସରେ ବକ୍ସିଂରେ ବ୍ରୋଞ୍ଜ ପଦକ ଜିତିଥିବା ଲବଲୀନା ବୋରଗୋହେନଙ୍କୁ ଆସାମ ସରକାର ସମ୍ବର୍ଦ୍ଧିତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱାସ ଶର୍ମା ଲବଲୀନାଙ୍କୁ ୧ କୋଟି ଟଙ୍କା ସହ ଡିଏସପି ପଦ ଲାଗି ନିଯୁକ୍ତି ପ୍ରଦାନ କରିଛନ୍ତି। ଗୌହାଟୀରେ ଲବଲୀନାଙ୍କ ନାମରେ ଏକ ସଡ଼କ ମଧ୍ୟ ନିର୍ମାଣ କରାଯିବ। ସରୂପଥ ନିର୍ବାଚନ କ୍ଷେତ୍ରରେ ବକ୍ସିଂ ଆକାଡେମୀ ସହ ଖେଳ ପରିସର ସ୍ଥାପିତ କରାଯିବ। ଏହାଦ୍ୱାରା ଅନେକ ଗ୍ରାମୀଣ ପ୍ରତିଭା ଆଗାମୀ ଦିନରେ ଦେଶ ପାଇଁ ଗୌରବ ଆଣିବେ। ଲବଲୀନାଙ୍କ ଗାଁ ବାରୋ ମୁଖିଆ ଏହି କ୍ଷେତ୍ରରେ ଆସୁଛି। ଏଥିସହିତ ଲବଲୀନାଙ୍କ ୪ଜଣ କୋଚ୍ ପ୍ରଶାନ୍ତ ଦାସ, ପ୍ରଦୂମ ବରୁଆ, ସଂଧ୍ୟା ଗୁରୁଙ୍ଗ ଓ ରାଫେଲ ଗାମାବସ୍କାଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱାସ ଶର୍ମା କହିଛନ୍ତି ଯେ, ଲବଲୀନା ରାଜ୍ୟ ପାଇଁ ପ୍ରଥମ ଅଲମ୍ପିକ ପଦକ ଜିତି ପ୍ରଦେଶ ଇତିହାସରେ ନିଜ ନାଁ ସ୍ୱର୍ଣ୍ଣାକ୍ଷରରେ ଲେଖିଛନ୍ତି। ଆମେ ତାଙ୍କୁ ନେଇ ଗର୍ବିତ ଏବଂ ରାଜ୍ୟବାସୀଙ୍କ ତରଫରୁ ମୁଁ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଧନ୍ୟବାଦ କହୁଛି। ୨୦୨୪ ପ୍ୟାରିସ ଅଲମ୍ପିକ ପର୍ଯ୍ୟନ୍ତ ଲବଲୀନାଙ୍କୁ ପ୍ରତିମାସ ୧ଲକ୍ଷ ଟଙ୍କା ଲେଖାଏଁ ଛାତ୍ରବୃତ୍ତି ଦେବାକୁ ନିଷ୍ପତ୍ତି ନିଆଯାଇଛି। କାରଣ ଲବଲୀନା ପ୍ୟାରିସରେ ସ୍ୱର୍ଣ୍ଣ ପଦକ ଜିତିବାର ଲକ୍ଷ୍ୟ ରଖିଛନ୍ତି।
ଏହି ପରିପ୍ରେକ୍ଷୀରେ ଲବଲୀନା କହିଛନ୍ତି ଯେ, ସେ ଖାଲି ହାତରେ ଫେରିନାହାନ୍ତି ଦେଶ ପାଇଁ ଗୋଟିଏ ପଦକ ଜିତିଛନ୍ତି। କିନ୍ତୁ ସ୍ୱର୍ଣ୍ଣ ପଦକ ଜିତି ନଥିବାରୁ ଦୁଃଖୀ ଅଛନ୍ତି।