ପାଟଣା ବ୍ଲକରେ ୩୧୫ ଛାତ୍ରଛାତ୍ରୀ ଦେଲେ ନବୋଦୟ ପରୀକ୍ଷା

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକରେ ବୁଧବାର ନବୋଦୟ ପରୀକ୍ଷା ଅନୁଷ୍ଠିତ ହୋଇଛି। ଏଥିରେ ପାଟଣା ପରୀକ୍ଷା କେନ୍ଦ୍ରର ୨୨୮ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୭୨ଜଣ ନବୋଦୟ ପରୀକ୍ଷା ଦେଇଥିବାବେଳେ ୫୬ଜଣ ଅନୁପସ୍ଥିତ ଥିଲେ। ପରୀକ୍ଷାକୁ ସୁପରିଟେଣ୍ଡେଣ୍ଟ ଭାବେ ପ୍ରତାପ ଚନ୍ଦ୍ର ମହାନ୍ତ ଓ କେନ୍ଦ୍ରସ୍ତରୀୟ ପରୀକ୍ଷା ନିରୀକ୍ଷକ ଭାବେ ସହକାରୀ ବ୍ଲକ ଶିକ୍ଷାଧିକାରୀ ସଚ୍ଚିଦାନନ୍ଦ ସେଠୀ ପରିଚାଳନା କରିଥିଲେ। ସେହିପରି ତୁରୁମୁଙ୍ଗା ପରୀକ୍ଷା କେନ୍ଦ୍ରରେ ମୋଟ ୧୯୪ଜଣଙ୍କ ମଧ୍ୟରୁ ୧୪୩ଜଣ ପରୀକ୍ଷା ଦେଇଥିବାବେଳେ ୫୧ଜଣ ଅନୁପସ୍ଥିତ ରହିଥିଲେ। ପରୀକ୍ଷାକୁ ସୁପରିଟେଣ୍ଡେଣ୍ଟ ଅଶୋକ କୁମାର ସାହୁ ପରିଚାଳନା କରିଥିବାବେଳେ ନବୋଦୟ ବିଦ୍ୟାଳୟ ପକ୍ଷରୁ ସିଏଲଓ ଯୋଶବନ୍ତ ନାରାୟଣ ବେହେରା, ପରୀକ୍ଷା ନିରୀକ୍ଷକ ଭାବରେ ତହସିଲଦାର ରଞ୍ଜନ କୁମାର ଦେହୁରୀ ଓ ଗୋଷ୍ଠୀ ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ଅମାତ ପ୍ରମୁଖ ଉପସ୍ଥିତ ରହିଥିଲେ।