ଭୋପାଳ,ଏଜେନ୍ସି: ଚଳିତ ସପ୍ତାହରେ ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ହୋଇଥିବାରୁ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟରେ ବନ୍ୟା ଯୋଗୁଁ ଏପର୍ଯ୍ୟନ୍ତ ୨୪ ଜଣଙ୍କର ମୃତ୍ୟୁ ହୋଇସାରିଲାଣି। ବନ୍ୟା ଯୋଗୁଁ ଚମ୍ବଳ ଓ ଗ୍ୱାଲିୟରରେ ବନ୍ୟା ପରିସ୍ଥିତି ଉପୁଜିଥିଲା।
ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ବନ୍ୟା ପରିସ୍ଥିତିରେ ଉନ୍ନତି ଆସିଛି। ବର୍ତ୍ତମାନ ପରିପ୍ରେକ୍ଷୀରେ ସାଧାରଣ ଜୀବନ ପ୍ରତି ଆଉ ବିପଦ ନାହିଁ। ତଥାପି ଉଦ୍ଧାର କାର୍ଯ୍ୟ ଓ ରିଲିଫ ବଣ୍ଟନ ପ୍ରକ୍ରିୟା ଜାରି ରହିଛି। ଅଗଷ୍ଟ ୧ ତାରିଖ ଠାରୁ ୭ ତାରିଖ ପର୍ଯ୍ୟନ୍ତ ବର୍ଷା ଜନିତ ମୃତ୍ୟୁ ୨୪ରେ ପହଞ୍ଚିଛି। ରାଜସ୍ୱ ସଚିବ ଜ୍ଞାନେଶ୍ୱରୀ ପାଟିଲ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
ଚଳିତ ବର୍ଷ ଉତ୍ତର ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ହୋଇଥିଲା। ବର୍ଷା ଦ୍ୱାରା ୧୨୫୦ରୁ ଊର୍ଦ୍ଧ୍ୱ ଗ୍ରାମ ପ୍ରଭାବିତ ହୋଇଥିଲେ। ଗ୍ୱାଲିୟର, ଶିଭପୁରୀ, ସେପରୁ, ଦତିଆ, ଅଶୋକ ନଗର, ଗୁନା, ଭିଣ୍ଡ ଓ ମୋରେନା ଜିଲ୍ଲାରେ ଲୋକେ ଅଧିକ ପ୍ରଭାବିତ ହୋଇଥିଲେ।