ପାକିସ୍ତାନରେ ଗଣେଶ ମନ୍ଦିର ଭଙ୍ଗାରୁଜା ଘଟଣାରେ ୫୦ ଗିରଫ, ୧୫୦ରୁ ଊର୍ଦ୍ଧ୍ୱଙ୍କ ବିରୋଧରେ ମାମଲା ରୁଜୁ

ଲାହୋର,ଏଜେନ୍ସି: ପାକିସ୍ତାନରେ ସଂଖ୍ୟାଲଘୁ ସଂପ୍ରଦାୟର ଧାର୍ମିକ ଅନୁଷ୍ଠାନରେ ଭଙ୍ଗାରୁଜା ଘଟଣାରେ ପୁଲିସ ୫୦ ଜଣଙ୍କୁ ଗିରଫ କରିଛି। ସେହିପରି ୧୫୦ ଜଣଙ୍କ ନାଁରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ସୂଚନାଯୋଗ୍ୟ ଯେ ସୁରକ୍ଷାରେ ବିଫଳତାକୁ ନେଇ ସୁପ୍ରିମକୋର୍ଟ ଅଧିକାରୀଙ୍କୁ ପରାମର୍ଶ ଦେବା ପରେ ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ନେଇଛି।

ସୂଚନା ଅନୁସାରେ ଲାହୋର ଠାରୁ ୫୯୦ କିଲୋମିଟର ଦୂରରେ ଥିବା ରହୀମ ୟାର ଖାନ ଜିଲ୍ଲାର ଭୋଙ୍ଗ ଅଞ୍ଚଳରେ ଗତ ବୁଧବାର ଏକ ଗଣେଶ ମନ୍ଦିରରେ ବ୍ୟାପକ ଭଙ୍ଗାରୁଜା ହୋଇଥିଲା। ଏନେଇ ରହୀମ ୟାର ଖାନ ଜିଲ୍ଲା ପୁଲିସ ଅଧିକାରୀ ଅସଦ ସରଫରାଜ କହିଛନ୍ତି ଯେ, ମନ୍ଦିର ଉପର କଥିତ ଭଙ୍ଗାରୁଜା ଘଟଣାକୁ ନେଇ ୫୦ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ସିସିଟିଭି ଫୁଟେଜ ଆଧାରରେ ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି ଏବଂ ଆଗାମୀ ଦିନରେ ଗିରଫ ଅଭିଯୁକ୍ତଙ୍କର ସଂଖ୍ୟା ବଢ଼ିପାରେ ବୋଲି ସେ କହିଛନ୍ତି। ଏଥି ସହିତ ଏବେ ମନ୍ଦିରର ମରାମତି କାମ ଆରମ୍ଭ ହୋଇଯାଇଛି।