ରାଜସ୍ଥାନରେ ବନ୍ୟା ନିୟନ୍ତ୍ରଣ ପାଇଁ ସେନାର ସହାୟତା ମାଗିଲେ ରାଜ୍ୟ ସରକାର

କୋଟା,ଏଜେନ୍ସି: ରାଜସ୍ଥାନର ହାଡୌତୀ ଅଞ୍ଚଳରେ ବନ୍ୟାର ସ୍ଥିତି ଗମ୍ଭୀର ହୋଇଛି। ରାଜ୍ୟର ଅଶୋକ ଗେହଲଟ ସରକାର ବନ୍ୟାରୁ ବର୍ତ୍ତିବା ପାଇଁ ସେନାର ସହାୟତା ମାଗିଛନ୍ତି। ଏହା ପରେ ଶୁକ୍ରବାର ବିଳମ୍ବିତ ରାତିରେ ସେନାର ଏକ ପ୍ଲାଟୁନ କୋଟାରେ ପହଞ୍ଚିଛନ୍ତି। ସେନାର ଯବାନମାନେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଡୋଡିୟା ଅଞ୍ଚଳରେ ଫସିଥିବା ୨୦ ଲୋକଙ୍କୁ ଉଦ୍ଧାର କରିଛନ୍ତି।

ଅନ୍ୟ ପ୍ରଭାବିତ ଅଞ୍ଚଳରେ ଯବାନମାନେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। କୋଟାର ସାଙ୍ଗୋଦ ଅଞ୍ଚଳରେ ଉଜାଡ଼ ନଦୀରେ ଜଳସ୍ତର ବୃଦ୍ଧି ଘଟିବାରୁ ବନ୍ୟା ସ୍ଥିତି ଉପୁଜିଛି। ବିଗତ ୭ ଦିନ ମଧ୍ୟରେ ରାଜ୍ୟର କୋଟା, ବାରାଂ, ବୁନ୍ଦୀ ଓ ଝାଲାୱାଡ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ଏହି ଅଞ୍ଚଳରେ ପ୍ରବାହିତ ହେଉଥିବା ନଦୀଗୁଡ଼ିକର ଜଳସ୍ତର ବଢ଼ିଛି। ରାଜସ୍ଥାନ ସରକାର ଜରୁରୀକାଳୀନ ନିଷ୍ପତ୍ତି ନେଇଥିଲେ। କୋଟା ଜିଲ୍ଲାପାଳ ଉଜ୍ଜ୍ୱଳ ରାଠୋର ସେନା ସହିତ ଯୋଗାଯୋଗ କରିଥିଲେ। ଭାରତୀୟ ସେନାର ୧୦୦ରୁ ଅଧିକ ଯବାନ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ବନ୍ୟା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ କାଟ କରାଯାଇଥିବା ବେଳେ ଲୋକଙ୍କୁ ଉଚ୍ଚ ସ୍ଥାନକୁ ସୁରକ୍ଷିତ ଭାବେ ନିଆଯାଇଛି।