ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୭ଟି ଉଚ୍ଚ ବିଦ୍ୟାଳୟ ସ୍ମାର୍ଟ ସ୍କୁଲର ମାନ୍ୟତା ପାଇବ

ରାୟଗଡା,ଏନ୍ଏନ୍ଏସ୍:-ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୭ଟି ଉଚ୍ଚ ବିଦ୍ୟାଳୟ ୫ଟି ଅଧୀନରେ ରୂପନ୍ତରୀଣ ହେବାକୁ ଯାଉଛି। ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଜିଲ୍ଲାର କେତୋଟି ପ୍ରମୁଖ ବିଦ୍ୟାଳୟ ଗୁଡିକ ଚୟନ କରି ତାହାର ନବୀକରଣ କାର୍ଯ୍ୟକୁ ଅନୁଧ୍ୟାନ କରିଛନ୍ତି। ଆଜି ପ୍ରଥମରେ ସ୍ଥାନୀୟ ରାୟଗଡ଼ା ସହରର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ପରିଦର୍ଶନ କରି କାର୍ଯ୍ୟକ୍ରମ ଅନୁଧ୍ୟାନ କରିବାପରେ ରାୟଗଡ଼ା ବ୍ଲକ ଅନ୍ତର୍ଗତ କୁମୁତୁଲପେଟାରେ ପ୍ରତିଷ୍ଠିତ ଉଗ୍ରତାର ବିଦ୍ୟାଳୟ ପରିଦର୍ଶନ କରିଥିଲେ। ପରେ କଲ୍ୟାଣସିଂପୁର ବ୍ଲକର ଶିକାରପାଇ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ।

ସରକାରଙ୍କ ୫ଟି ବିଭାଗ ଅଧୀନରେ ଉନ୍ନତୀକରଣ ନିମନ୍ତେ ବିଦ୍ୟାଳୟର ବିଭିନ୍ନ ସମସ୍ୟା ଓ ସମାଧାନ ଉପରେ ବିଦ୍ୟାଳୟ କର୍ତ୍ତୃପକ୍ଷ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ବିଦ୍ୟାଳୟର ପୂର୍ବତନ ଛାତ୍ର, ସରପଞ୍ଚ, ବିଦ୍ୟାଳୟ ସଭାପତି ସହିତ ଆଲୋଚନା କରିଥିଲେ। ବିଶେଷ କରି ବିଜ୍ଞାନ ଗାର, ପାଠାଗାର, ଶ୍ରେଣୀ ଗୃହ, ପିଇବା ପାଣିର ବ୍ୟବସ୍ଥା, ସାନିଟାଇଜର ବ୍ୟବସ୍ଥା, ବିଦ୍ୟୁତ, ଖେଳପଡ଼ିଆ, କିଚେନ ବଗିଚା, ବିଦ୍ୟାଳୟର ପରିସ୍କାର ପରିଚ୍ଛନ୍ନତା, ଛାତ୍ର ଛାତ୍ରୀମାନଙ୍କ ବସିବା ବ୍ୟବସ୍ଥା ଉପରେ ଗୁରୁତ୍ଵ ଦିଆଯିବ।

ଏଥି ସହିତ ବିଦ୍ୟାଳୟ ମାନଙ୍କରେ ନୂତନ ଭାବେ ସ୍ମାର୍ଟ କ୍ଲାସ କେଉଁଠି ହେବ, ଇ -ପାଠାଗାର ଓ ଅନ୍ୟାନ୍ୟ ଅତ୍ୟାଧୁନିକ ଶିକ୍ଷଣୀୟ ବ୍ୟବସ୍ଥା କେଉଁଠି କରାଯିବ ସେନେଇ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ନିର୍ମାଣ କାର୍ଯ୍ୟ ଆସନ୍ତା ଅକ୍ଟୋବର ସୁଦ୍ଧା ସାରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ।