ରାୟଗଡା,ଏନ୍ଏନ୍ଏସ୍: ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ରେଳ ମନ୍ତ୍ରାଳୟ ଦାୟିତ୍ୱ ଗ୍ରହଣ ପରେ ପ୍ରଥମ ଥର ଲାଗି ରାୟଗଡା ଗସ୍ତରେ ଆସିବେ। ତେବେ କେନ୍ଦ୍ର ମନ୍ତ୍ରୀମଣ୍ଡଳର ଗୁରୁତ୍ୱପୂର୍ଣ୍ଣ ରେଳ ବିଭାଗର ମନ୍ତ୍ରୀ ରାୟଗଡାକୁ ଗସ୍ତ କରୁଥିବାରୁ ସାରା ଜିଲ୍ଲାରେ ଉତ୍ସାହ ପରିବେଶ ସୃଷ୍ଟି ହୋଇଛି। ଆସନ୍ତା ୧୭ ତାରିଖ ଦିନ ମନ୍ତ୍ରୀ ଶ୍ରୀ ବୈଷ୍ଣବ ହିରାଖଣ୍ଡ ଏକ୍ସପ୍ରେସ ଟ୍ରେନ ଯୋଗେ ଭୁବନେଶ୍ୱରରୁ ବାହାରି ରାୟଗଡା ରେଳ ଷ୍ଟେସନରେ ପହଞ୍ଚିବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଥିବା ଜଣାପଡିଛି।
ଅନ୍ୟପଟେ ରେଳ ମନ୍ତ୍ରୀଙ୍କ ରାୟଗଡା ଗସ୍ତ ଦକ୍ଷିଣାଞ୍ଚଳ ଜିଲ୍ଲାରେ ରେଳ ବିକାଶକୁ ନେଇ ଗୁରୁତ୍ୱପୂର୍ଣ୍ଣ ରହିଛି। ରାୟଗଡା ରେଳ ଡିଭିଡନ ଘୋଷଣା ପରଠୁ ନିର୍ମାଣ କାମରେ ଶିଥିଳତା ଓ ପ୍ରସ୍ତାବିତ ଗୁଣୁପୁର ଓ ଥେରୁବାଲି ରେଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବିଳମ୍ବ ଏବଂ ୨୦୦୯ରେ ସର୍ଭେ ହୋଇଥିବା ଦକ୍ଷିଣ ଓଡିଶାର ଶିଳ୍ପ କରିଡର କୁହାଯାଉଥିବା ରାୟଗଡା ଠାରୁ ଗୋପାଳପୁର ବନ୍ଦର ଯାଏଁ ରେଳ ଲାଇନ ନିର୍ମାଣ କାମ ଏବଂ ଅନୁରୂପ ଭାବେ ରାୟପୁର ଓ ବିଜୟନଗରମ ୩ୟ ଲାଇନ ନିର୍ମାଣ କାମ ମଧ୍ୟ ମନ୍ଥର ବେଗରେ ଚାଲିଥିବାବେଳେ ଜୟପୁର-ମାଲକାନଗିରି, ଜୟପୁର-ନବରଙ୍ଗପୁର ନୂତନ ରେଳପଥ ମନ୍ତ୍ରୀଙ୍କ ଗସ୍ତ ପରେ ଏହି ସବୁ ପ୍ରକଳ୍ପ ନିର୍ମାଣ ବେଗ ତ୍ୱରିତ ହେବା ନେଇ ସମ୍ଭାବନା ଦେଖାଦେଇଛି।
ଅନ୍ୟପଟେ ଗସ୍ତ ଦିନ ରେଳମନ୍ତ୍ରୀଙ୍କ ସହ ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ସାଙ୍ଗକୁ ବିଜେଡିର ଏକ ଉଚ୍ଛ ସ୍ତରୀୟ ଟିମ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବା ନେଇ ଜଣାପଡିଛି। ସେହିଭଳି ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କ ସ୍ଥାନୀୟ କିଛି ବୁଦ୍ଧିଜୀବୀଙ୍କ ସହିତ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଦେଶର ରେଳ ମନ୍ତ୍ରୀ ଭାବେ ପ୍ରଥମ ଥର ଶ୍ରୀ ବୈଷ୍ଣବ ୬ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ରାୟଗଡାରେ ରହି ଦକ୍ଷିଣ ଓଡିଶାରେ ରେଳ ବିକାଶ ସମ୍ଭାବନା, ଶିଥିଳ ପ୍ରକଳ୍ପକୁ ଗତିଶୀଳ କରିବା ଏବଂ ରାୟଗଡା ଠାରେ ପ୍ରସ୍ତାବିତ ନୂତନ ରେଳ ଡିଭିଜନ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ଚାଲିଛି।