ଝାରସୁଗୁଡ଼ାର ୧୨୬ ବର୍ଷ ପୁରୁଣା ପୋଷ୍ଟ ଅଫିସକୁ ‘ଐତିହ୍ୟ ପୋଷ୍ଟ ଅଫିସ’ ମାନ୍ୟତା ପାଇଁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

ନୂଆଦିଲ୍ଲୀ/ଭୁବନେଶ୍ୱର,ଏଜେନ୍ସି: ଝାରସୁଗୁଡ଼ାର ୧୨୬ ବର୍ଷ ପୁରୁଣା ପୋଷ୍ଟ ଅଫିସକୁ ‘ଐତିହ୍ୟ ପୋଷ୍ଟ ଅଫିସ୍ ସୌଧ’ ଘୋଷଣା କରିବା ସହ ଏହାର ପୁନଃରୁଦ୍ଧାର, ରକ୍ଷଣାବେକ୍ଷଣ ଓ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏନେଇ ସେ କେନ୍ଦ୍ର ଦୂରସଂଚାର, ରେଳ, ଇଲେକଟ୍ରୋନିକ୍ସ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି ଶ୍ରୀ ପ୍ରଧାନ।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଝାରସୁଗୁଡ଼ା ପୋଷ୍ଟ ଅଫିସକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀଙ୍କ ଠାରୁ ଏକ ପତ୍ର ପ୍ରାପ୍ତ କରିଥିଲେ। ବେଙ୍ଗଲ-ନାଗପୁର ରେଳ ଲାଇନରେ ଝାରସୁଗୁଡ଼ା ରେଳ ଷ୍ଟେସନ କାର୍ଯ୍ୟକ୍ଷମ ହେବା ପରେ ୧୮୯୫ ମସିହାରେ ଝାରସୁଗୁଡ଼ା ପୋଷ୍ଟ ଅଫିସ ସ୍ଥାପନା କରାଯାଇଥିଲା। ସ୍ୱାଧୀନତା ପୂର୍ବରୁ ପଶ୍ଚିମ ଓଡ଼ିଶାରେ ଝାରସୁଗୁଡ଼ା ଅର୍ଥନୈତିକ ପେଣ୍ଠସ୍ଥଳୀ ଭାବେ ପରିଣତି କରିବାରେ ଏହି ୧୨୬ ବର୍ଷ ପୁରୁଣା ପୋଷ୍ଟ ଅଫିସର ଝାରସୁଗୁଡ଼ାର ଆଧୁନିକ ଇତିହାସରେ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

ଭାରତରେ ଭାରତୀୟ ଡାକ ସେବା ଦ୍ୱାରା ବିହାର, ଦିଲ୍ଲୀ, ହିମାଚଳ ପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ, କେରଳ, କର୍ଣ୍ଣାଟକ, ଉତ୍ତର ପ୍ରଦେଶ, ତାମିଲନାଡୁ, ଓ ପଶ୍ଚିମବଙ୍ଗରେ ଥିବା ୩୬ଟି ଐତିହ୍ୟ ପୋଷ୍ଟ ଅଫିସର ରକ୍ଷଣାବେକ୍ଷଣ କରାଯିବା ସହ ଭାରତୀୟ ଡାକସେବାର ଗୌରବମୟ ଇତିହାସ, ସାମାଜିକ ଓ ସାଂସ୍କୃତିକ ମହତ୍ୱକୁ ଦୃଷ୍ଟିରେ ରଖି ପୋଷ୍ଟ ଅଫିସକୁ ଐତିହ୍ୟ ପୋଷ୍ଟ ଅଫିସ ଭାବେ ମାନ୍ୟତା ଦେବା ପ୍ରଶଂସନୀୟ ବୋଲି ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ୧୮୯୫ ମସିହାରେ ସ୍ଥାପିତ ଝାରସୁଗୁଡ଼ାର ପୋଷ୍ଟ ଅଫିସର ଇତିହାସ ଏବଂ ଜିଲ୍ଲାର ବିକାଶ ପ୍ରତି ଥିବା ଅବଦାନକୁ ଦୃଷ୍ଟିରେ ରଖି ବ୍ୟକ୍ତିଗତ ହସ୍ତକ୍ଷେପ କରି ଏହାକୁ ଐତିହ୍ୟ ପୋଷ୍ଟ ଅଫିସ ଭାବେ ମାନ୍ୟତା ଦେବା ସହ ଏହାର ପୁନଃଉଦ୍ଧାର କରିବା ପାଇଁ ପତ୍ରରେ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।