ଦେବଗଡ଼,ଏନ୍ଏନ୍ଏସ୍: ହନୁମାନ ପଇସାର ଅବାଧ କାରବାର ଅଭିଯୋଗରେ ଦେବଗଡ଼ ଜିଲ୍ଲା ପୁଲିସର ସ୍ପେଶାଲ ସ୍କ୍ୱାର୍ଡ ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୨ଟି ହନୁମାନ ପଇସା, ୩ଟି ମୋବାଇଲ ଫୋନ ଓ ନଗଦ ଏକ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ ହୋଇଥିବା ଜଣାପଡିଛି। ଏନେଇ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦେବଗଡ଼ ଏସପି ରାଜ କିଶୋର ପାଇକରାୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ପ୍ରଦାନ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଦେବଗଡ଼ ଥାନା ଅଧିକାରୀ ସୁରେନ୍ଦ୍ର କୁମାର ନାୟକ, ଡିଆଇବି ଡିଏସପି ପ୍ରଦୀପ କୁମାର କେରକେଟା ପ୍ରମୁଖ ଉପସ୍ଥିତ ଥିଲେ।
ଏସପି ଶ୍ରୀ ପାଇକରାୟଙ୍କ ସୂଚନା ଅନୁଯାୟୀ ଜିଲ୍ଲାରେ ବେଆଇନ ହନୁମାନ ପଇସାର କାରବାର ଚାଲୁଥିବା ବିଶ୍ଵସ୍ଥ ସୂତ୍ରରୁ ସୂଚନା ପାଇ ଜିଲ୍ଲା ପୁଲିସର ସ୍ପେଶାଲ ସ୍କ୍ୱାର୍ଡ ସଜାଗ ରହିଥିଲେ। ସ୍ପେଶାଲ ସ୍କ୍ୱାର୍ଡ ନେତୃତ୍ୱ ନେଉଥିବା ଦେବଗଡ଼ ଏସଡ଼ିପିଓ ପ୍ରତ୍ୟୁଷ କୁମାର ମହାପାତ୍ର ଏହି ଚାଲାଣକାରୀଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ହନୁମାନ ପଇସା ବେପାର କରୁଥିବା ସମ୍ବଲପୁର ଜିଲ୍ଲା ଜୁଯୁମୁରା ଥାନା ଅନ୍ତର୍ଗତ ଭଣ୍ଡାରୀମାଲ ଗ୍ରାମର ନରହରି ରାଉତିଆ(୪୯), ରେଙ୍ଗାଳକାନୀ ଗ୍ରାମର ପ୍ୟାରୀମୋହନ ପ୍ରଧାନ(୪୩) ଓ ରିଆମାଳ ଥାନା ଅନ୍ତର୍ଗତ ଅର୍ଗାନ ଗ୍ରାମର ଉପେନ୍ଦ୍ର ମାଝୀ (୫୮)ଙ୍କ ସହ ଯୋଗାଯୋଗ କରି ଗ୍ରାହକ ବେଶରେ ଗୋହିରା ଡ୍ୟାମ ନିକଟ ରାସ୍ତାରେ ଛକି ରହିଥିଲା ସ୍ପେଶାଲ ସ୍କ୍ୱାର୍ଡ।
