କରୋନା କାଳରେ ଦାଦନ ମୁହାଁ ରୋକି ପାରିନି ମନରେଗା, ଶ୍ରମ ବିଭାଗ ପାଖରେ ତଥ୍ୟ ନାହିଁ

ରାୟଗଡା,ଏନ୍ଏନ୍ଏସ୍: ଗ୍ରାମାଞ୍ଚଳରେ କର୍ମନିଯୁକ୍ତି ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ଆଉ ଜିଲ୍ଲାର ଏପରି ବିକାଶମୂଳକ କାର୍ଯ୍ୟକୁ ଦେଖି କେନ୍ଦ୍ର ସରକାର ରାୟଗଡାକୁ ଆକାଂକ୍ଷା ଜିଲ୍ଲାରେ ସାମିଲ କରୁଛନ୍ତି। ବିଭିନ୍ନ ପର୍ଯ୍ୟାୟରେ ଗ୍ରାମାଞ୍ଚଳର ବିକାଶକୁ ନେଇ ରାୟଗଡା ରାଜ୍ୟରେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହୁଛି। ତଥାପି ଜିଲ୍ଲାରେ ଦୂର ହେଉନି ଦାଦନ ସମସ୍ୟା। ଲୋକଙ୍କ ପାଖରେ କାମ ନାହିଁ ଯାହାଫଳରେ ଅଧିକ ଅର୍ଥ ଲାଳସାରେ ଲୋକେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି ଏହି ଦାଦନ ଭିତରେ ନାବାଳକ ଓ ନାବାଳିକାଙ୍କ ସଂଖ୍ୟା ଅଧିକ ରହିଥିବା କୁହାଯାଉଛି।

ବିଡମ୍ବନାର କଥା ହେଲା ଯେ ଜିଲ୍ଲାରୁ କେତେ ଦାଦନ ପ୍ରତିମାସ ବାହାର ରାଜ୍ୟକୁ ଯାଉଛନ୍ତି, ସେଥିମଧ୍ୟରୁ ନାବାଳକ ଓ ନାବାଳିକାଙ୍କ ସଂଖ୍ୟା କେତେ ତାର ହିସାବ ଜିଲ୍ଲା ଶ୍ରମ ବିଭାଗ ପାଖରେ ନାହିଁ। ବିଶେଷ କରି ଆଜିକାର ଚାକଚମକ ସାମାଜରେ ରୋଜଗାର ନଥିବାରୁ ନାବାଳକ ଓ ନାବାଳିକା ମାନେ ପଡୋଶୀ ଆନ୍ଧ୍ର, ତେଲେଙ୍ଗାନା, ରାୟପୁର, ତାମିଲନାଡୁ ଓ ସୁରଟ ଅଭିମୁଖେ ଯାଉଛନ୍ତି। ବିଶେଷ କରି ଦାଦନ ଖଟିବାକୁ ଯୁବବର୍ଗ ଅଧିକ ଆଗଭର ହେଉଥିବା ନଜରକୁ ଆସିଛି। ସେହିପରି କରୋନା କାଳରେ କାମଧନ୍ଧା ଅଭାବରୁ ପିଲାଙ୍କ ପାଠପଢାରେ ଡୋରି ବାନ୍ଧି ହୋଇଯାଇଥିବା ବେଳେ ଦାମିକିଆ ଡ୍ରେସ୍ ଓ ଅଣ୍ଡ୍ରୋଏଡ୍ ମୋବାଇଲ ପାଇଁ ପିଲାମାନେ ବାହାର ରାଜ୍ୟକୁ ଚାଲିଯାଉଛନ୍ତି। ସେଠାରେ ଅନେକ ଆକ୍ରୋଶର ଶିକାର ହେଉଛନ୍ତି। ଏନେଇ ଶ୍ରମ ବିଭାଗ, ଶିଶୁ ସୁରକ୍ଷା କମିଟି ସମେତ ସ୍ଥାନୀୟ ପ୍ରଶାସନ ଗ୍ରାମାଞ୍ଚଳରେ ବ୍ୟାପକ ସଚେତନ କରୁଛନ୍ତି। ତଥାପି ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲ୍ଲାରୁ ଦାଦନ ସମସ୍ୟା ଦୂର ହେଉନି। ଅଧିକ ଅର୍ଥ ଲାଳସାରେ ବାହାର ରାଜ୍ୟର ଦଲାଲ ମାନଙ୍କ ସହ ମିଶି ସ୍ଥାନୀୟ ଶ୍ରମିକ ଦଲାଲ ମାନେ ସକ୍ରିୟ ହୋଇଉଠିଥିବା ବେଳେ ସେମାନଙ୍କ ଉପରେ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି। ଫଳରେ ଟଙ୍କାର ଲୋଭ ଦେଖାଇ ଶ୍ରମିକ ଚାଲାଣ କରାଯାଉଛି। ସେଠାରେ ନିର୍ଯାତନାର ଶିକାର ହେଉଛନ୍ତି ନିରୀହ ଆଦିବାସୀ ନାବାଳକ ଓ ନାବାଳିକା। ଯାହାର ଜ୍ୱଳନ୍ତ ଉଦାହରଣ ଗତ ଶୁକ୍ରବାର ଆନ୍ଧ୍ରର ଗୁଣ୍ଟୁର ଜିଲ୍ଲାରେ ଦେଖିବାକୁ ମିଳିଥିଲା। ଏବେବି ଜିଲ୍ଲାର ଅନେକ ୧୮ ବର୍ଷ ବର୍ଗର କମ୍ ପିଲା ବାହାର ରାଜ୍ୟରେ ରହିଥିବା ବେଳେ ସେମାନଙ୍କ କୌଣସି ଖୋଜ୍ ଖବର ନଥିବା ଅଭିଯୋଗ ହୋଇଛି। ଗ୍ରାମାଞ୍ଚଳରେ ଶ୍ରମ ବିଭାଗ ପକ୍ଷରୁ ଲୋକଙ୍କୁ ଦାଦନ ମୁହାଁ ନହେବାକୁ ବ୍ୟାପକ ସଚେତନ କରାଯିବା ଜିଲ୍ଲାର ସରପଞ୍ଚ ମାନଙ୍କୁ ଦାଦନଙ୍କ ଗତିବିଧି ସଂକ୍ରାନ୍ତରେ ତଥ୍ୟ ମଗାଯାଉଛି।

ଅନେକ ଦାଦନ ଲୁଚିଛପି ବସ୍ ଓ ଟ୍ରେନ୍ ଯୋଗେ ଚାଲିଯାଉଥିବା ବେଳେ ଜିଲ୍ଲା ଶ୍ରମ ବିଭାଗ ମଧ୍ୟ ସେମାନଙ୍କୁ ରୋକିବାରେ ସଫଳ ହେଉନାହିଁ। ଶ୍ରମ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ଜିଲ୍ଲାରୁ ପ୍ରାୟ ୫୦୦ରୁ ଅଧିକ ଦାଦନ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି। ବାସ୍ତବରେ ଏହି ତଥ୍ୟକୁ ନେଇ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ରାୟଗଡା ଜିଲ୍ଲାର ସଦର ବ୍ଲକ ସମେତ କୋଲନରା, କଲ୍ୟାଣସିଂହପୁର, ବିଷମକଟକ, ରାମନାଗୁଡା, ଗୁଣପୁର, ଗୁଡାରୀ ଓ ମୁନିଗୁଡା ସମେତ ଚନ୍ଦ୍ରପୁର ବ୍ଲକର ଅନେକ ଯୁବକ ଯୁବତୀ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। କରୋନାର ପ୍ରଥମ ଲହରରେ ଅନେକ ଜିଲ୍ଲାକୁ ଫେରି ଆସିଥିବା ବେଳେ କରୋନା ଭୟରେ ଅନେକ ଶ୍ରମିକ ବାହାର ରାଜ୍ୟରେ ରହିଯାଇଥିଲେ। କରୋନା କଟକଣା କୋହଳ ହେବା ପରେ ଶ୍ରମିକ ମାନେ ପୁଣିଥରେ ଦାଦନ ମୁହାଁ ହୋଇଛନ୍ତି। ଆଉ ସେମାନଙ୍କୁ ରୋକିବା ଦିଗରେ ପ୍ରଶାସନ ଫେଲ୍ ମାରିଥିବା କୁହାଯାଇଛି। ଏନେଇ ଆମେ ଜିଲ୍ଲା ଶ୍ରମ ଅଧିକାରୀ ଯଶ୍ମିନ ସାହୁଙ୍କ ପ୍ରତିକ୍ରିଆ ନେବାରୁ ସେ ଜିଲ୍ଲାରେ ଦାଦନ ସମସ୍ୟା ଦୂର କରିବା ପାଇଁ ବ୍ୟପକ ଉଦ୍ୟମ କରାଯାଉଛି ବୋଲି ପ୍ରକାଶ କରିଛନ୍ତି।