ହାଇ ଲେଭେଲ୍ ଟିମ୍ ଆଗମନ ପୂର୍ବରୁ ନରସିଂହଙ୍କ ସାମ୍ବାଦିକ ସମ୍ମିଳନୀ
ରିଭିଜନ କରାଇଲେ, ଜିଲ୍ଲାର ବିକାଶ ପାଇଁ ଟାସ୍କ୍ ଦେଲେ
- ବଲାଙ୍ଗିର, ଏନଏନଏସ: ବୁଧବାର ସକାଳୁ ରାଜ୍ୟ ସରକାରଙ୍କ ଏକ ହାଇ ଲେଭେଲ୍ ଟିମ୍ ବଲାଙ୍ଗିର ଗସ୍ତରେ ଆସିବା ନେଇ ସୂଚନା ରହିଛି। ସେମାନଙ୍କ ଆଗମନ ପୂର୍ବରୁ ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଜିଲ୍ଲାର ବିଭିନ୍ନ ଅଧାପନ୍ତରିଆ ଉନ୍ନୟନମୂଳକ କାମଗୁଡିକୁ ସରକାରୀ କଳକୁ ମନେ ପକାଇଥିଲେ। ସେ କହିଛନ୍ତି ଯେ, ବିଗତ ଦେଢ ବର୍ଷ ହେବ ଜିଲ୍ଲାର ବିକାଶ ତଥା ବିକାଶମୂଳକ ପ୍ରକଳ୍ପରେ ମନ୍ଥରତା ଦେଖାଦେଇଛି । ଅଞ୍ଚଳବାସୀଙ୍କ ନ୍ୟାୟୋଚିତ ଦାବିଗୁଡିକୁ ସରକାର କରୋନା ମହାମାରୀ ଆଳରେ ବଳି ଦେଉଛନ୍ତି। କିନ୍ତୁ ସମାନ ସମୟରେ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲା ପୁରୀ, ଭୁବନେଶ୍ୱର, ସମ୍ବଲପୁରର ସର୍ବାଙ୍ଗିନ ବିକାଶ ରାଜ୍ୟ ସରକାର ବହୁକୋଟି ଟଙ୍କା ଅନୁଦାନ ଦେଉଛନ୍ତି। ସରକାରଙ୍କ ଏତାଦୃଶ କାର୍ଯ୍ୟକଳାପ ବଲାଙ୍ଗିର ତଥା ପଶ୍ଚିମାଞ୍ଚଳର ଜଳସେଚନ, ଶିକ୍ଷା, ଭିତ୍ତିଭୂମି ନିର୍ମାଣ ଓ ପର୍ଯ୍ୟଟନ ବିକାଶକୁ ସିଧାସିଧା ଅଣଦେଖା କରାଯାଉଥିବା ସ୍ପଷ୍ଟ ହେଉଛି ବୋଲିି ବିଧାୟକ ନରସିଂହ ମିଶ୍ର କ୍ଷୋଭର ସହ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ବିକାଶମୂଳକ ପ୍ରକଳ୍ପଗୁଡିକୁ ତ୍ୱରାନ୍ୱିତ କରିବା ପାଇଁ ସରକାରଙ୍କ ଏକ ଉଚ୍ଚ କ୍ଷମତାସମ୍ପନ୍ନ ସଚିବ ସ୍ତରୀୟ ପ୍ରତିନିଧି ଦଳ ଆସୁଥିବା ଶୁଣିବାକୁ ମିଳୁୁଛି। କରୋନା ପାଇଁ ମନ୍ଥରତା ଆସିଥିବା ତଥା ଅନୁଦାନ ପାଇ ବିଳମ୍ବ ହେଉଥିବା ବିଭିନ୍ନ ପ୍ରକଳ୍ପ ଉପରେ ଏହି ପ୍ରତିନିଧି ଦଳ ନିଶ୍ଚିତ ଧ୍ୟାନକେନ୍ଦ୍ରିତ କରିବେ। ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ଭୀମ ପାହାଡ, ରାଣୀପୁର ଝରିଆଲ, ହରିଶଙ୍କର ନୃସିଂହନାଥର ବିକାଶ ପୂର୍ବ ଓଡିଶାର ମନ୍ଦିର ମଠ ବିକାଶ ସହ ସମତୁଲଭାବେ ବିକାଶ କରିବା ପାଇଁ ସେ ଦାବି କରିଛନ୍ତି। ସେହିପରି ପିଆର ହାଇସ୍କୁଲ ପଡିଆସ୍ଥିତ ଇନଡୋର ଷ୍ଟାଡିଅମ ଓ ମହାରାଣୀ ସାଗର ସୌନ୍ଦର୍ଯ୍ୟୀକରଣ କାମ ଆରମ୍ଭ କରିବା ଦିଗରେ ଜିଲ୍ଲା ପ୍ରଶାସନ ଯତ୍ନବାନ ହେଉ ବୋଲି ସେ ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଶ୍ରୀ ମିଶ୍ରଙ୍କ ବ୍ୟତୀତ ଜିଲ୍ଲା କଂଗ୍ରେସର ଉପସଭାପତି ମନୀଷ ମିଶ୍ର ଉପସ୍ଥିତ ଥିଲେ।